ଭୁବନେଶ୍ୱର, ୨୫/୬/୨୦୨୪ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ବନ୍ୟା ପରିସ୍ଥିତି ପୂର୍ବରୁ ରାଜ୍ୟର ସମସ୍ତ ଦୁର୍ବଳ ନଦୀ ବନ୍ଧଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଓ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଂଟିଆ ଖୋଲିବା ସହ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବାକୁ କୁହାଯାଇଛି । ତହସିଲଦାର ଏବଂ ବିଭାଗୀୟ ଅଧିକାରୀମାନେ ଦୁର୍ବଳ ନଦୀ ବନ୍ଧଗୁଡ଼ିକର ତଦାରଖ କରି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । କେଉଁ କାରଣ ପାଇଁ ପ୍ରକଳ୍ପଗୁଡ଼ିକ ବିଳମ୍ବ ହେଉଛି ତା’ର ତାଲିକା ପ୍ରସ୍ତୁତ କରି ଏହାର ସମାଧାନ ନେଇ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ଏହାସହ ମେଗା ଜଳସେଚନ ପ୍ରକଳ୍ପ, ମଧ୍ୟମ ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, କେନାଲ, ଗଭୀର ନଳକୂ ଖନନ ଗୁଡ଼ିକ କେଉଁ ଜିଲାରେ କେତେ ଅଛି, କେତେ ନିର୍ମାଣାଧୀନ ଅଛି ପଚାରି ବୁଝିଥିଲେ । ସମସ୍ତ ନିର୍ମାଣାଧୀନ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ଏହାବାଦ୍ ବିଜେପିର ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ଚାରିଟି ପ୍ରତିଶ୍ରୁତି ଯଥା ୧. ଉତମ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ପାଇଁ ନୀତି ନିର୍ଦ୍ଧାରଣ, ୨. ମହାନଦୀ ରିଜୁଭେନେସନ୍ ଓ ରୁଲ୍ କର୍ଭର ସମୀକ୍ଷା, ୩. ଜଳ ସଂରକ୍ଷଣ ନୀତି ପ୍ରସ୍ତୁତ କରିବା, ୪. ଅନ୍ତଃ ନଦୀ ଜଳ ପଥର ଉନ୍ନତି କରଣ ଓ ସମୟାନୁକ୍ରମିକ ଜଳଭଣ୍ଡାରରୁ ପଟୁ ଉଦ୍ଧାର ଓ ଖନନ ଆଦି କାର୍ଯ୍ୟ ପାଇଁ ବୈଷୟିକ କମିଟି ଗଠନ କରାଯାଇ ୧୦୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ ଚଳିତ ବର୍ଷା ଋତୁରେ ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ଅଛି ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । କେଉଁ କେଉଁ ନଦୀରେ ବିଶେଷ ବନ୍ୟା ହୋଇଥାଏ, ମହାନଦୀର ଜଳ ପରିଚାଳନା, ହୀରାକୁଦର କେବେ ଗେଟ୍ ଖୋଲାଯାଏ, ବିଭିନ୍ନ ଡ୍ୟାମ୍ ର ସ୍ଥିତି, ବନ୍ୟା ଦୃଷ୍ଟିରୁ ସମ୍ବେଦନଶୀଳ ଅଂଚଳ, ବନ୍ୟା ହେଲେ ଲୋକଙ୍କୁ ସ୍ଥାନାନ୍ତରଣ, ପଶୁସମ୍ପଦର ସୁରକ୍ଷା ଆଦି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।
ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
