ନିଶ୍ଚିନ୍ତକୋଇଲି,୨୬/୦୪/୨୦୨୬(ଓଡିଶା ସମାଚାର/ଅଭୟ ଜେନା)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଠାରେ ପ୍ରସିଦ୍ଧ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ଶନିଶ୍ଚର ମହାଯଜ୍ଞ କମିଟିର ତତ୍ୱାବଧାରକ ଗୋଲକ ଚନ୍ଦ୍ର ପରିଡା, ସଭାପତି କେଶବ ଚନ୍ଦ୍ର ବେହେରା, ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନଙ୍କ ତତ୍ୱାବଧାନ ରେ ଚଳିତବର୍ଷ ଶନିଶ୍ଚରଯଜ୍ଞ ଓ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 
ଏହି ଯଜ୍ଞ ୨୪,୨୫, ୨୬ ତିନିଦିନ ଅନୁଷ୍ଠିତ ହେଉଥିବା ବେଳେ ଶନିବାର ଭୋର ୫ ଟା ରୁ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପବିତ୍ର ଚିତ୍ରୋତ୍ପଳା ନଦୀରୁ ଭକ୍ତ ମାନେ କଳସିରେ ଜଳ ଆଣି ଶନିଦେବ ଙ୍କୁ ଜଳାଭିଷେକ କରିଥିଲେ । ଯାତ୍ରାରେ ଉଠା ଦୋକାନୀ ମାନଙ୍କ ଦ୍ୱାରା ବିଭିନ୍ନ ଦ୍ରବ୍ୟର କିଣାବିକା ଚାଲିଥିଲା । ପ୍ରଚଣ୍ଡ ରୌଦ୍ରତାପ ସତ୍ୱେ ଏହି ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ପ୍ରଶାସନ ଓ ପୋଲିସ ପକ୍ଷରୁ ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଶନି ମଣ୍ଡପ ରେ ପହଂଚି ଉତ୍ସବ ପରିଦର୍ଶନ କରିଥିଲେ । ଜନାର୍ଦ୍ଦନ ପୁର ନବଗ୍ରହ ପୂଜା କମିଟି ର କର୍ମକର୍ତ୍ତା ଓ ସଦସ୍ୟମାନେ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଶାସନ ଓ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।
