ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ; କାଲିଠୁ ବଢିବ ବର୍ଷା

                     ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ସତର୍କ ରହିବାକୁ ଏସ୍‌ଆରସି ଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୫/୬/୨୦୨୪ (ଓଡ଼ିଶା ସମାଚାର)- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା। ୨୭ରେ ମଧ୍ୟ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୯ ତାରିଖ ଯାଏଁ ବର୍ଷା ନେଇ କେତେକ ସ୍ଥାନକୁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ଠାରୁ ଅନେକ ସ୍ଥାନରେ ବର୍ଷାର ପରିମାଣ ବଢିବ। ରାୟଗଡା ଓ ସୁନ୍ଦରଗଡ ଜିଲାରେ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଗଞ୍ଜାମ, ଗଜପତି, କନ୍ଧମାଳରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି) ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ପ୍ରବଳ ବର୍ଷା ହେବାକୁ ଥିବାରୁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିପାରେ। ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ। ଭୂସ୍ଖଳନ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳମାନେ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ମୁଖ୍ୟାଳୟ ଛାଡ଼ି ନ ଯିବା, ପ୍ରବଳ ବର୍ଷା ହେଲେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ସହରାଞ୍ଚଳରେ ଡ୍ରେନ୍‌କୁ ସଫା ରଖିବା, ଟ୍ରାଫିକ୍‌ ପରିଚାଳନା ଠିକ୍‌ ଭାବେ କରିବା, ଜଳ ନିଷ୍କାସନ ପାଇଁ ଆଗୁଆ ପାଣି ପମ୍ପ ମହଜୁଦ ରଖିବା, ନଦୀ/କେନାଲର ଦୁର୍ବଳ ସ୍ଥାନ ଚିହ୍ନଟ ସହ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ତେବେ ୨୮ ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କେଉଁଝର, ମୟୂରଭଞ୍ଜ, ଯାଜପୁର, ଢ଼େଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

 

Leave a Reply

Your email address will not be published. Required fields are marked *