ବିଧାନସଭାଠାରେ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

ଭୁବନେଶ୍ୱର,୨୪/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ । ସେ ଦରିଦ୍ର, ଅବହେଳିତ, ଦଳିତଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ । ଜଣେ ନିଷ୍ଠାପର ଜନନାୟକ ଏବଂ ବିପ୍ଳବୀର ସମସ୍ତ ଗୁଣ ତାଙ୍କଠାରେ ପରିପୂର୍ଣ୍ଣ ଥିଲା । ସେ ସମ୍ଭ୍ରାନ୍ତ ଓ ଜମିଦାର ବଂଶର ବ୍ୟକ୍ତି ଥିଲେ ମଧ୍ୟ ସମାଜର ମୂଲିଆ ଓ ଦଳିତବର୍ଗର ଲୋକଙ୍କ ପାଇଁ ସାରା ଜୀବନ ସଂଗ୍ରାମ ଜାରି ରଖିଥିଲେ ।

ଆଜି ସେହି ମାନବବାଦୀ, ଜନନାୟକଙ୍କ ୪୦ତମ ଶ୍ରାଦ୍ଧବାର୍ଷିକ ଅବସରରେ ବିଧାନସଭାଠାରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥି ପ୍ରମୁଖ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଶାଶ୍ୱ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଉତ୍କଳ ସମ୍ମିଳନୀର ସଦସ୍ୟଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *