ସାଧାରଣ ନିର୍ବାଚନ ପରିଚାଳନାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଭୂମିକା ସମ୍ପର୍କିତ ତାଲିମ ଶିବିର

ଭୁବନେଶ୍ୱର, ୧୫/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଗାମୀ ଦିନରେ ସାରା ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବରସ୍ଥିତ ପୋଲିସଭବନ ଠାରେ ସାଧାରଣ ନିର୍ବାଚନ ପରିଚାଳନାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଭୂମିକା ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ,  ଆଇ.ଏ.ଏସ ଯୋଗଦେଇ ସାଧାରଣ ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାସହ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନକୁ ଶାନ୍ତିଶୃଙ୍ଖଳା, ସ୍ଵଚ୍ଛତା, ଅପରାଧ ମୁକ୍ତ ସହ ସମାପ୍ତ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଏଥିନିମନ୍ତେ ପୋଲିସ ପ୍ରଶାସନର ସହଯୋଗ ସଂକ୍ରାନ୍ତରେ ମତବ୍ୟକ୍ତ କରିଥିଲେ । ରାଜ୍ୟରେ ବେଆଇନ ଅର୍ଥ , ଚୋରା ମଦ କାରବାର, ଗଞ୍ଜେଇ, ଅଫିମ ଭଳି ନିଶା କାରବାରକୁ ଦମନ କରାଯିବା ସମ୍ପର୍କରେ ଶ୍ରୀ ଧଳ ମତବ୍ୟକ୍ତ କରିଥିଲେ । ଗଣତନ୍ତ୍ର ବ୍ୟବସ୍ଥାକୁ ମଜଭୁତ କରିବାକୁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଚଳିତ ବର୍ଷ ଶୂନ୍ୟ ପୁନଃ ମତଦାନ ଉପରେ ଆୟୋଗ ଗୁରୁତ୍ଵ ପ୍ରଦାନ କରିଛନ୍ତି ବୋଲି ସେ କହିଥିଲେ । ଚଳିତବର୍ଷ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ପୋଲିସ ଅଧିକାରୀ ଏବଂ ପୋଲିଂ କର୍ମଚାରୀଙ୍କ  କଲ୍ୟାଣ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ ।  ୮୦ ବର୍ଷରୁ ଉର୍ଦ୍ଧ୍ଵ ତଥା ୪୦% ରୁ ଅଧିକ ଭିନ୍ନକ୍ଷମ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି ଏବଂ ଚଳିତ ବର୍ଷ ପୋଷ୍ଟାଲ ବାଲଟ ସଂଖ୍ୟା ବୃଦ୍ଧି ସଂକ୍ରାନ୍ତରେ ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ୬୦% ରୁ ୭୦% ବୁଥରେ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଉଥିବାବେଳେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଡ୍ରୋନ ଯୋଗେ ମନିଟରିଂ କରାଯିବ ବୋଲି ସେ ସୂଚନା ଦେଇଥିଲେ । ପରସ୍ପର ପ୍ରତି ସହଯୋଗ ଏବଂ ମିଳିମିଶି କାମ କଲେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମାପ୍ତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

          ଏହି ଅବସରରେ ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ଏନ. ଥିରୁମାଲା ନାୟକ ଯୋଗଦେଇ ବିଗତ ବର୍ଷରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଅପେକ୍ଷା ଚଳିତ ବର୍ଷର ନିର୍ବାଚନ ସମ୍ପୂର୍ଣ ଭିନ୍ନ ହେବାକୁ ଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ନିର୍ବାଚନ ସମୟରେ ଖର୍ଚ୍ଚର ପରିଚାଳନା, ଆଚରଣ ବିଧି ଲାଗୁ ଏବଂ ଭୋଟ ଆରମ୍ଭ ପୂର୍ବର ଗୁରୁତ୍ଵପୂର୍ଣ୍ଣ ୭୨ ଘଣ୍ଟା ସମ୍ପର୍କରେ ସେ ସୂଚନା ଦେଇଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି), ଶ୍ରୀ ଲଲିତ ଦାସ, ଆଇପିଏସ ନିର୍ବାଚନ ପ୍ରକ୍ରିୟାକୁ  ଶୃଙ୍ଖଳିତ ଭାବେ ସମାପ୍ତ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଟ୍ଵିନସିଟି ପୋଲିସ କମିଶନର (ଭୁବନେଶ୍ବର-କଟକ) ଶ୍ରୀ ସଞ୍ଜୀବ ପଣ୍ଡା, ଆଇପିଏସ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା, ଭିଆଇପିଙ୍କ ସୁରକ୍ଷା ଏବଂ ଆଚରଣ ବିଧି ଲାଗୁ ସମୟରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଶ୍ରୀ ଏସ. ଦେବଦତ୍ତ ସିଂ, ନିର୍ବାଚନ ପ୍ରକ୍ରିୟାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଶେଷ କରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ସେମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିବ ବୋଲି କହିଥିଲେ । ଏହି ପୋଲିସ ବାହିନୀଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

           ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ଅରୁଣ ବୋଥ୍ରା, ଆଇପିଏସ ଆଇ.ଜି (କ୍ରାଇମବ୍ରାଞ୍ଚ) ସଫିନ ଅହମ୍ମଦ କେ., ଆଇପିଏସ ସୋସିଆଲ ମିଡିଆର ପରିଚାଳନା, ସାଇବର ସୁରକ୍ଷା ଏବଂ ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କିତ ଅପରାଧ ସଠିକ ତଦନ୍ତ ସମ୍ପର୍କରେ ଆଲୋକପାତ କରିଥିଲେ । ବିପିଏସପିଏ,  ଆଇ.ଜି ଶ୍ରୀମତୀ ଏସ. ସାଇନି, ପୋଲିସ କର୍ମଚାରୀଙ୍କୁ ତାଲିମ ପ୍ରଦାନ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ଓସଡମାର ସିଜିଏମ ଶ୍ରୀ ସବ୍ୟସାଚୀ ହୋତା ନିର୍ବାଚନ ପ୍ରକ୍ରିୟା ଏବଂ ପୋଷ୍ଟାଲ ବାଲଟ ବ୍ୟବସ୍ଥା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

          କାର୍ଯ୍ୟକ୍ରମର ଶେଷଭାଗରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଯୋଗଦେଇ ନିର୍ବାଚନ ପୂର୍ବରୁ ପୋଲିସର ସକ୍ରିୟତା ସମ୍ପର୍କରେ ମତପ୍ରକାଶ କରିଥିଲେ । ଉପଯୁକ୍ତ ଯୋଜନା ଏବଂ ଉପଯୁକ୍ତ ରଣନୀତି ପ୍ରଣୟନ କରାଯିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଏନଫୋର୍ସମେଣ୍ଟକୁ ଜୋରଦାର, ସଠିକ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ମୁତୟନ, ଗୁଇନ୍ଦା ବିଭାଗକୁ ସକ୍ରିୟ, ରାତ୍ରକାଳୀନ ପାଟ୍ରୋଲିଂକୁ କଡାକଡି, ମାଦକ ଦ୍ରବ୍ଯ ବ୍ୟବସାୟକୁ ଦୃଢହସ୍ତରେ ଦମନ କରିବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରିଶ୍ରମ, ସଚ୍ଚୋଟ ଏବଂ ଶୃଙ୍ଖଳିତ ହୋଇ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଶିବିରକୁ ପରିଚାଳନା କରିଥିଲେ । ଶେଷରେ  ରାଜ୍ୟ ପୋଲିସ ମୁଖ୍ୟାଳୟର ଏସ.ପି  ଶ୍ରୀ ବି. ଗଙ୍ଗାଧର  ଧନ୍ୟବାଦ ଅର୍ପଣ କରିଥିଲେ ।

          ଆଜିର ଏହି ତାଲିମ ଶିବିରରେ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ପୋଲିସ ଅଧିକାରୀ, ରେଞ୍ଜ ଆଇ.ଜି, ଡି.ଆଇ.ଜି ଏବଂ ସମସ୍ତ ଜିଲ୍ଲାର ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ ।

                                                                                   -0-

Leave a Reply

Your email address will not be published. Required fields are marked *