ଗରଦପୁର, ୨୩/୬/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ହରିହର କ୍ଷେତ୍ର ମାହାଳ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁମାନେ ସ୍ନାନମଣ୍ଡପରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଛନ୍ତି । ସ୍ନାନ ଯାତ୍ରା ଅବସରରେ ବଢି ଭୋରୁ ମନ୍ଦିର ର ଦୁଆର ଫିଟା ନୀତି ପାଳନ ପରେ ମଇଲମ, ତଡପଲାଗି ଓ ଅବକାଶ ପରେ ଶ୍ରୀଜୀୟୁ ଙ୍କୁ ଦଇତାପତି ମାନେ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପ କୁ ଆଣିଥିଲେ । ଏହାପରେ ବେଢାରେ ଥିବା କୂପକୁ ବିଭିନ୍ନ ରୀତି ନୀତି ଅନୁଯାୟୀ ଶୁଦ୍ଧ ବା ପବିତ୍ର କରାଯାଇଥିଲା । ସ୍ନାନ ବେଦୀରେ ବଡପଣ୍ଡା ମଙ୍ଗଳାର୍ପଣ, ଆରତୀ ଓ ମଧ୍ୟାହ୍ନ ଧୂପ ଲାଗି ପରେ ବିଗ୍ରହମାନଙ୍କୁ ମନ୍ଦିର ବେଢାରେ ଥିବା କୂପରୁ ୧୦୮ କଳସରେ ଦଇତାପତି ସେବାୟତ ମାନେ ପାଣି ଆଣି ସ୍ନାନ କରାଇଥିଲେ । ସ୍ନାନ ପୂର୍ବରୁ ୧୦୮ ଗରାରେ ଅଗୁର, ଚନ୍ଦନ, ଘୃତ, ମହୁ, ଗୋଚିନା, ଅଶ୍ୱଗନ୍ଧା, ସର୍ପଗନ୍ଧା, ଦେବଦାରୁ, ହରିଡା, ବାହାଡା, କୁର୍ଣ୍ଣାସାରୁ ପ୍ରଭୃତି ଜଡିବୁଟିରେ ତିଆରି ଗୁଣ୍ଡ ସହିତ ଦହି ଓ କ୍ଷୀରରେ ମିଶାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ୩୫ ଟି କଳସ, ବଡଭାଇ ବଳଭଦ୍ର ଙ୍କୁ ୩୩ କଳସ, ମା’ ସୁଭଦ୍ରା ଙ୍କୁ ୨୨ କଳସ ଓ ଚକ୍ରରାଜ ସୁଦର୍ଶନଙ୍କୁ ୧୮ ଟି କଳସରେ ରେ ସ୍ନାନ କରାଯାଇଥିଲା । ଠାକୁରଙ୍କ ସ୍ନାନ ସେବାପରେ ଅପରାହ୍ନରେ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ଏହି ଗଜାନନ ବେଶ ଦେଖିବାକୁ ଭକ୍ତମାନଙ୍କ ଗହଳି ହୋଇଥିବାରୁ କୁଦାନଗରୀ ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେହିପରି ଗରଦପୁରରେ ଶ୍ରୀବଳଦେବଜୀଉ, ମଧୁଶାସନରେ ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା ମଧ୍ୟ ସେବକମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ।