ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ

ଖୋର୍ଦ୍ଧା, ୦୭/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବଙ୍କୁ  ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ୯ ତାରିଖରୁ ତାଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ତିନି ଦିନିଆ ଅନ୍ତରୀଣ ଦେଇଛନ୍ତି ଖୋର୍ଦ୍ଧା ଏଡିଜେ-୧ କୋର୍ଟ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ ଓ ପୁତୁରାଙ୍କ ଶୁଦ୍ଧିକ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା। ବରିଷ୍ଠ ଓକିଲ ପ୍ରଭାତ ଦାସ କୋର୍ଟରେ ଜାମିନ ଆବେଦନ କରିଥିଲେ। ସରକାରୀ ଓକିଲ ଏବଂ ଜଗଦ୍ଦେବଙ୍କ ଓକିଲଙ୍କ ପକ୍ଷ ଶୁଣିବା ପରେ କୋର୍ଟ ଏହି ରାୟ ଦେଇଛନ୍ତି।
ଆସନ୍ତା ୯ରୁ ୧୧ ତାରିଖ ଯାଏଁ ଜାମିନରେ ରହିବେ ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗତ ୨୫ ତାରିଖ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଥିଲା।  ୨୮ତାରିଖ ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ସେ କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ଜେଲ ପରିସରରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କର ଅଧିକ ଚିକିତ୍ସା ପାଇଁ ୨୯ତାରିଖ ଭୋର ୪ଟାରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ଭିତରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କ ଶରୀରରେ ମଧୁମେହର ପରିମାଣ ଅଧିକ ରହିଥିବା ଜଣାପଡ଼ିଥିଲା। ସେହିଦିନଠାରୁ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

Leave a Reply

Your email address will not be published. Required fields are marked *