କଟକ ସଦର , ୦୫/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରରେ ବିଜେଡ଼ି ଗଡକୁ ଭାଙ୍ଗି ଅଳ୍ପ ଦିନ ତଳେ ବିଜେପି ରେ ମିଶି ଅନେକ ଆଶାୟୀଙ୍କୁ ପଛରେ ପକାଇ ଟିକେଟ୍ ହାତେଇ କଡା ପ୍ରତିଦ୍ବନ୍ଦିତା ରେ ନିର୍ବାଚନ ଜିତିଥିଵା ଯୁବ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ବର୍ଷ ହେଲା ବିଧାୟକ ପ୍ରକାଶ ନିଜର ଏକ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ଜରିଆରେ କଟକ ସଦରରେ ସାମାଜିକ କାର୍ଯ୍ୟ କରି ଲୋକଙ୍କ ନିକଟତର ହେବା ସହିତ ଆସ୍ଥାଭାଜନ ହୋଇଥିଲେ। ଯେଉଁଥିପାଇଁ ବିଜେପି ତାଙ୍କ ଉପରେ ଭରସା ରଖି ଟିକେଟ ଦେଇଥିବା ଜଣାଯାଇଛି। ସାଂଗଠନିକ ଦକ୍ଷତା ଓ ଲୋକସମ୍ପର୍କ କୁ ଦୃଷ୍ଟିରେ ରଖି ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ନିଆଯିବା ଏବେ ଆଲୋଚନାର ଵିଷୟ ହୋଇଛି। ଅନ୍ୟପକ୍ଷରେ କଟକ ସଦରରେ ବିଜେଡ଼ି ରୁ ଦୁଇଥର ବିଧାୟକ ଥାଇ ତୃତୀୟ ଥର ହାଟଟ୍ରିକ ଲକ୍ଷରେ ପ୍ରତିଦ୍ବନ୍ଦିତା କୁ ଓହ୍ଲାଇଥିବା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କୁ ପରାଜୟର ସ୍ୱ।ଦ ଚାଖିବାକୁ ପଡ଼ିଛି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯାହାଙ୍କୁ ଦୂରେଇ ଦେଇଥିଲେ ସେହି ସତ୍ୟ ଜେନାଙ୍କୁ ନିର୍ବାଚନ ସମୟରେ ପୁଣି କୋଳେଇ ନେଇଥିବା ବେଳେ ସେମିତି କିଛି ହେବା ଦେଖିବାକୁ ମିଳିଲା ନାହିଁ।ବରଂ ବିଜେଡ଼ି ର ଭୋଟ ହାର କମିଗଲା ବୋଲି ଶୁଣାଯାଉଛି। ସୂଚନାଯୋଗ୍ୟ ଯେ ଉକ୍ତ ମଇଦାନରେ ଚାରି ଜଣ ପ୍ରାର୍ଥୀ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ର ଚନ୍ଦ୍ର ସାରଥି ବେହେରାଙ୍କୁ ୩,୮୦୯ ଖଣ୍ଡ ଭୋଟରେ ପରାସ୍ତ କରିଥିବା ଜଣାପଡିଛି। ପ୍ରକାଶ ମୋଟ ୭୯ ହଜାର ୫ ଶହ ୪୨ ଖଣ୍ଡ ଭୋଟ ପାଇଥିବା ବେଳେ ଚନ୍ଦ୍ର ସାରଥି ୭୫ ହଜାର ୭ ଶହ ୩୩ ଖଣ୍ଡ ଭୋଟ ପାଇଥିଲେ।ଅନ୍ୟ ଦୁଇ ପ୍ରାର୍ଥୀ କଂଗ୍ରେସ ର ରାମଚନ୍ଦ୍ର ଗୋଛାୟତ ୭ ହଜାର ୧୦ ଖଣ୍ଡ ଓ ଏସୟୁସିଆଇ(କମ୍ୟୁନିଷ୍ଟ) ପ୍ରାର୍ଥୀ ପରମାନନ୍ଦ ସେଠୀ ୬ ଶହ ୭୮ ଓ ନୋଟା ୧ ହଜାର ୭୧ ଭୋଟ ପାଇଥିବା ଜଣାପଡିଛି।ବହୁ ବର୍ଷ ପରେ ସଦର ମାଟି କିଶନନଗର ଅଞ୍ଚଳର ପୁଅ ବିଧାୟକ ହୋଇଥିବାରୁ ଚାରିଆଡେ ଖୁସିର ମାହୋଲ ଥମିବାର ନାଁ କରୁନାହିଁ।