ନିରାକାରପୁର,୦୩/୬/୨୦୨୪ (ଓଡ଼ିଶା ସମାଚାର)- ଗରିବ ଲୋକଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା କରିଥିବାବେଳେ କିନ୍ତୁ ଆଜି କିଛି ଯୋଜନା ସୁଦୂର ହାଇଦ୍ରାବାଦରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶିଶିର ପାଇଁ ଫଳପ୍ରଦ ହୋଇ ପାରିଲା ନାହିଁ। ତାର ଶବକୁ ଆଣିବାରେ ବିଫଳ ପରିବାର ଲୋକେ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ବି ଆସନ୍ତା କାଲି ନିର୍ବାଚନ ଫଳାଫଳ ପାଇଁ ବ୍ୟସ୍ତତା କାରଣରୁ କେହି ତାଙ୍କ କଥା ଶୁଣି ନ ଥିଲେ ବୋଲି
ତାଙ୍କ ପରିବାର ଲୋକେ ଜଣାଇଛନ୍ତି। ଶେଷରେ ସବୁଠାରୁ ନିରାଶ୍ରୟ ହୋଇ ରାଜ୍ୟ ବାହାରେ ହାଇଦ୍ରାବାଦରେ ଶବ ସତ୍କାର କରିବାକୁ ପରିବାର ଲୋକେ ବାଧ୍ୟ ହୋଇଥିଲେ। ଖବର ରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ମଳିପଡା ପାଣିଛାତ୍ର ଗ୍ରାମର ଯଯାତି କିଶୋର ସାହୁ ଙ୍କ ପୁତ୍ର ଶିଶିର କୁମାର ସାହୁ ୮ ବର୍ଷ ହେବ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ଚଳୁଥିଲେ। କିନ୍ତୁ କାଲି ସନ୍ଧ୍ୟାରେ କମ୍ପାନୀରୁ ବାହାରି କିଛି ଜିନିଷ ବଜାରରୁ ଆଣିବାକୁ ଯାଉଥିବାବେଳେ ଏକ ଗାଡି ଧକ୍କାରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପରିବାର ଲୋକେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଅଧିକ ଅର୍ଥ ଖର୍ଚ୍ଚ କରି ତାଙ୍କ ଶବକୁ ସେଠାରୁ ଆଣିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ସବୁଠାରୁ ନିରାଶ ହୋଇ ଶେଷରେ ସେଠାରେ ଶବ ସତ୍କାର କରିବାକୁ ତାଙ୍କ ସହିତ ରହୁଥିବା ସାଙ୍ଗ ମାନଙ୍କୁ ଅନୁରୋଧ କରିଥିବା ତାଙ୍କ ପରିବାର ଲୋକଙ୍କ ଠାରୁ ଜଣାପଡିଛି।
ଦୁର୍ଘଟଣାରେ ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ- ଅର୍ଥ ଅଭାବରୁ ଗାଁକୁ ଆଣି ପାରିଲେନି ଶବ
