ବିଦୁ୍ୟତ ଆଘାତରେ ପମ୍ପ ଅପରେଟର ମୃତ

                                            ଶବଧରି ଜିଲାପାଳଙ୍କ କାର୍ଯୟାଳୟ ସମ୍ମୁଖରେ ଧାରଣା
କେନ୍ଦ୍ରାପଡ଼ା,୧୮/୦୬/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମ ପଂଚାୟତର ନରିଲୋ ଗ୍ରାମରେ ଜନୈକ ଯୁବକଙ୍କ ବିଦୁ୍ୟତ୍ ଆଘାତରେ ମୃତୁ୍ୟ ହୋଇଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ହରିହର ମଲ୍ଲିକ (୩୩) । ହରିହର ଏହି ପଂଚାୟତ ଅଧିନରେ ପମ୍ପ ଅପରେଟର(ଏସଇଏମ) ଭାବେ କାର୍ଯ୍ୟ କରୁଥିଲେ ।

ବୁଧବାର ସକାଳ ପ୍ରାୟ ସାଢେ ୧୦ଟାରେ ହରିହର ପଂଚାୟତରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଛାତ ଉପରେ ଥିବା ପାଣି ଟାଙ୍କି ସଫା କରୁଥିଲେ । ସେହି ଛାତ ଉପରେ ନୂତନ ନିର୍ମାଣଧିନ ଆରୋଗ୍ୟ କେନ୍ଦ୍ରକୁ ଜନୈକ ଠିକାଦାର ଚୋରାରେ ବିଦୁ୍ୟତ ସଂଯୋଗ ନେଇଥିଲେ । ଏ ନେଇ କୌଣସି ସୁରକ୍ଷା ବ୍ୟବସ୍ଥା ସେ କରି ନଥିଲେ । ଫଳରେ ଏହା ଅନ୍ୟମାନଙ୍କ ପଇଁ ବିପଦ ସୃଷ୍ଟି କରିଥିଲା । ହରିହର ଯେଉଁ ଛାତରେ କାମ କରୁଥିଲେ ସେହି ଛାତ ଉପର ଦେଇ ଚୋରା ବିଦୁ୍ୟତ ତାର ଯାଇଥିଲା ।

ହରିହର ପାଣି ଟଙ୍କି ସଫା କରୁଥିବା ସମୟରେ ବିଦୁତ ତାର ସଂସ୍ପର୍ଶରେ ଆସିଯିବାରୁ ସେ ଗୁରୁତର ହୋଇ ଛାତ ଉପରେ ଜମିଥିବା ବର୍ଷା ପାଣିରେ ପଡିଯାଇଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଯାଇଥିଲେ । କିନ୍ତୁ ଉଦ୍ଧାର କରିବାକୁ ଯାଇଥିବା ଲୋକ ବିଦୁ୍ୟତ ଆଘାତର ଶିକାର ହୋଇଥିଲେ । ପରେ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ କରାଯାଇ ହରିହରଙ୍କୁ ସେଠାରୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।

କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ ମୃତଦେହକୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏଥିସହ ପିଡିତ ପରିବାରକୁ କ୍ଷତିପୂରଣ ଓ ମୃତକଙ୍କ ପତ୍ନୀଙ୍କୁ ଚାକିରୀ ଦାବିରେ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ ।

ଜିଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ଓ ପତ୍ନୀଙ୍କୁ ଚାକିରୀ ମିଳିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ମୃତୁ୍ୟକୁ ନେଇ ସଦର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଥରବା ପୋଲିସ କହିଛି । ହରିହରଙ୍କ ଏକ ୬ ବର୍ଷର ପୁଅ ଓ ୩ ବର୍ଷର ଝିଅ ଅଛନ୍ତି । ତାଙ୍କ ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *