ଭୁବନେଶ୍ୱର,୨୫/୦୮/୨୦୨୫ (ଓଡ଼ିଶା ସମାଚାର)- ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବୁଲା କୁକୁରଙ୍କ ଗଣନା ହେବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଏଥିସହ ରାସ୍ତାକଡ଼ରେ ବୁଲା କୁକୁରଙ୍କୁ ଖାଇବାକୁ ଦେବା ବନ୍ଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଏପରିକି ସର୍ବସାଧାରଣରେ ମାଂସ କାଟିବା ଉପରେ ରୋକ୍ ଲାଗିବ । ଯାହାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।
ରାସ୍ତାକଡ଼ରେ ବୁଲା କୁକୁରଙ୍କୁ ଖାଇବାକୁ ନଦେବା ପାଇଁ ପୌର ସଂସ୍ଥାଗୁଡ଼ିକ ଲୋକଙ୍କୁ ସଚେତନ କରିବେ । ସେହିପରି ରାସ୍ତାକଡ଼ରେ ମାଂସକାଟି ଏଣେତେଣେ ପକାଇ ପାରିବେ ନାହିଁ । ଏପରିକି ବଳକା ମାଂସ ବୁଲା କୁକୁରଙ୍କୁ ଖାଇବାକୁ ଦେଇପାରିବେ ନାହିଁ । ଏଥି ପାଇଁ ସର୍ବସାଧାରଣ ସ୍ଥାନରେ ମାଂସ ନକାଟିବାକୁ ପୌର ସଂସ୍ଥାଗୁଡ଼ିକ ନିର୍ଦ୍ଧେଶାବଳୀ ଜାରି କରିବେ । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଥିଲେ ।
ସରକାରଙ୍କ ଏଭଳି ନିଷ୍ପତିି ପରେ ଚିନ୍ତାରେ ପଡ଼ିଯାଇଛନ୍ତି ରାଜଧାନୀ ଭୁବନେଶ୍ୱରର ମାଂସ ଦୋକାନୀ । ପ୍ରାୟ ୩୦ ବର୍ଷ ଧରି ରାସ୍ତାକଡ଼ରେ ମାଂସ ବିକୁଥିବାରୁ, ବିକଳ୍ପ ଦୋକାନ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ବଳକା ମାଂସ ବୁଲା କୁକୁରଙ୍କୁ ନଦେଇ ଡଷ୍ଟବିନ୍ ରେ ପକାଉଥିବା ସଫେଇ ରଖିଛନ୍ତି ।
