୨ବର୍ଷ ହେବ ବନ୍ଦ ଓସ୍ତପୁର ପ୍ରାଥମିକ ବିଦ୍ୟାଳୟ ଏବେ ପୋଲିଂ ବୁଥ୍

କେନ୍ଦ୍ରାପଡ଼ା, ୩୧/୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ ବିଦ୍ୟାଳୟଟି ପ୍ରାୟ ଦୁଇବର୍ଷରୁ ଉଦ୍ଧ୍ୱର୍ ହେବ ନିକଟସ୍ଥ କଂସାର ସାହସପୁର ହାଇସ୍କୁଲ ସହିତ ମିଶ୍ରଣ ହୋଇଯାଇଛି । ସେହି ବିଦ୍ୟାଳୟର ପୁରୁଣା ଗୃହରେ ଏକ ରୁରାଲ୍ ଜିମ୍ ଖୋଲିଥିବା ବେଳେ ସେଠାରେ ସ୍କୁଲର କୌଣସି ଆସବାବ ପତ୍ର ନାହିଁ କି ସ୍କୁଲ ଭାବରେ ବ୍ୟବହାର ହେଉନାହିଁ । ସେହି ରୁରାଲ ଜିମ୍ କୁ ଓସ୍ତପୁର ସରପଂଚ ପ୍ରସନ୍ନ ରାଉତ, ୮ନଂଜୋନ୍ ର ଜିଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ ଓ କେନ୍ଦ୍ରାପଡା ବ୍ଲକ ବିଡିଓ ମିଳିତ ଭାବେ ଉଦଘାଟନ କରିଥିଲେ । ସେଠାରେ ବର୍ଷାଧିକ କାଳ ହେବ ରୁରାଲ ଜିମ୍ ଚାଲିଥିବା ବେଳେ ହଠାତ୍ ଗତକାଲି ରାତିରେ ଓସ୍ତପୁର ପ୍ରାଥମିକ ବିଦ୍ୟାଳୟ ଲେଖା ଥିବା ଏକ ବ୍ୟାନର ଝୁଲାଇ ଦିଆଯାଇଥିବା ବେଳେ ସେହି ଜିମ କାନ୍ଥରେ ବୁଥ୍ ନଂ ୨୩୦ ବୋଲି ଲେଖି ଦିଆଯାଇଛି । ଏଥିସହିତ ଜିମ୍ ର ସମସ୍ତ ଆସବାବ ପତ୍ରକୁ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ର ଗୃହକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରି ଦିଆଯାଇଛି । ଏହା କିପରି ସମ୍ଭବ ହେଲା ବୋଲି ସ୍ଥାନୀୟ ଲୋକେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଗୋଟିଏ ବନ୍ଦ ହୋଇଯାଇଥିବା ବିଦ୍ୟାଳୟ ଏବଂ ସେଠାରେ ଏକ ଜିମ ଚାଲିଥିବା ବେଳେ ପୂର୍ବରୁ କୌଣସି ସୂଚନା ଦିଆନଯାଇ ହଠାତ ସେଠାରେ ବୁଥ କରାଯିବା ଘଟଣା ସମ୍ପର୍କରେ ଆପ୍ ର ସଂଯୋଜକ ସୂର୍ଯ୍ୟକାନ୍ତ ପରିଡା ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *