ଜୁନ୍ ୧ ମତଦାନ ଦିବସ ନିମନ୍ତେ ଜାରି ହେଲା ମାର୍ଗଦର୍ଶିକା

କେନ୍ଦ୍ରାପଡ଼ା,୩୦/୫/୨୦୨୪ (ଓଡ଼ିଶା ସମାଚାର)- ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆସନ୍ତା ଜୁନ୍ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲାରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ ଜିଲା ପ୍ରଶାସନର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଭୋଟ୍ ଗ୍ରହଣ ଦିନ ମତଦାନକୁ ଅଧିକ ସୁଗମ କରିବା ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ମତଦାତା ମାର୍ଗଦର୍ଶିକା ଅନୁଯାୟୀ କିଛି ନିୟମାବଳୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ଅବଗତି ନିମନ୍ତେ ଜାରି କରାଯାଇଛି । ମତଦାତାମାନେ ବୁଥ୍ କୁ ଆସିବା ସମୟରେ ତେର ଗୋଟି ଅନୁମୋଦିତ ଦସ୍ତାବିଜ୍ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ର ନେଇ ଆସିବା ବାଧ୍ୟତାମୂଳକ । ସେଗୁଡ଼ିକ ମଧ୍ୟରେ ରହିଛି ଭୋଟର୍ ପରିଚୟପତ୍ର, ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼, ଡ୍ରାଇଭିଙ୍ଗ୍ ଲାଇସେନ୍ସ, ପାସପୋର୍ଟ, ଦିବ୍ୟାଙ୍ଗ ପରିଚୟପତ୍ର, ଫଟୋ ସଂଲଗ୍ନ ଥିବା ଚାକିରୀ କ୍ଷେତ୍ରର ପରିଚୟପତ୍ର, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ ବା ପୋଷ୍ଟ ଅଫିସର ପାସ୍ ବୁକ୍, ଶ୍ରମ ମନ୍ତ୍ରାଳୟ ଯୋଜନା ଅଧିନରେ ପ୍ରଦତ ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ଼, ଏନପିଆର୍ ଅନ୍ତର୍ଗତ ଆରଜିଆଇ ଦ୍ୱାରା ପ୍ରଦତ ସ୍ମାର୍ଟ କାର୍ଡ଼, ଫଟୋ ସଂଲଗ୍ନ ପେନସନ୍ ବହି, ସାଂସଦ / ବିଧାୟକ / ବିଧାନସଭା ସଦସ୍ୟଙ୍କୁ ଦିଆଯାଇଥିବା ସରକାରୀ ପରିଚୟପତ୍ର ଓ ଏମଏନଆରଇଜିଏ ଜବ୍ କାର୍ଡ଼ । ଏଥିମଧ୍ୟରୁ ଯେ କୌଣସି ଗୋଟିଏ ପରିଚୟପତ୍ର ଦର୍ଶାଇ ମତଦାତା ନିଜର ପରିଚୟ ସାବ୍ୟସ୍ତ କରିପାରିବେ । ମାର୍ଗଦର୍ଶିକା ଅନୁଯାୟୀ ମତଦାତାମାନେ ବୁଥ୍ ମଧ୍ୟକୁ ମୋବାଇଲ୍, କ୍ୟାମେରା, ହେଡ୍ ଫୋନ୍, ସ୍ମାର୍ଟ ୱାଚ୍ ଭଳି କୌଣସି ବୈଦ୍ୟୁତିକ ଉପକରଣ ନେଇପାରିବେ ନାହିଁ ।  ସେହିପରି ମତଦାନକୁ ସହଜ କରିବା ନିମନ୍ତେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଅକ୍ଷମତା ହେତୁ ସାଥି ମତଦାତାଙ୍କ ସାହାଯ୍ୟ ନେଇପାରିବେ । ଏହା ଛଡ଼ା ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ନିଜ ନିଜର ପୋଲିଂ ଏଜେଂଟ୍ ନିଯୁକ୍ତି କରିବେ । ପୋଲିଂ ଏଜେଂଟ୍ ମାନେ ମତଦାନ ଦିବସ ଅର୍ଥାତ୍ ଜୁନ୍ ୧ରେ ସକାଳ ୫ଟା ୩୦ମିନିଟ୍ ସୁଦ୍ଧା ମତଦାନ କେନ୍ଦ୍ରରେ ପହଂଚି ମକ୍ ପୋଲ୍ ରେ ଉପସ୍ଥିତ ରହିବାକୁ ସ୍ପଷ୍ଟ ନିର୍ଦ୍ଧେଶ ଦିଆଯାଇଛି । ଭୋଟ୍ ଗ୍ରହଣ ଦିନ ମିଡିଆ ପାସ୍ ପାଇଥିବା ଗଣମାଧ୍ୟମ ପ୍ରତିନିଧି କେବଳ ମତଦାନ କେନ୍ଦ୍ରକୁ ଯାଇପାରିବେ । ସେମାନଙ୍କୁ ସହଜରେ ଚିହ୍ନଟିକରଣ ପାଇଁ ମିଡିଆ ପାସ୍ ସହ ସେମାନେ ସାମ୍ବାଦିକ ପରିଚୟପତ୍ର ସାଙ୍ଗରେ ନେବେ । ଭୋଟ୍ ଗ୍ରହଣର ଗୋପନୀୟତାକୁ ସୁନିଶ୍ଚିତ କରିବା ପାଇଁ ସାମ୍ବାଦିକମାନେ ବୁଥ୍ ଭିତରକୁ ଯାଇପାରିବେ ନାହିଁ କି ଭୋଟିଂ କମ୍ପାର୍ଟମେଂଟ୍ ମଧ୍ୟରେ ଫଟୋ କିମ୍ବା ଭିଡିଓ ଉତୋଳନ କରିପାରିବେନି । ୱେବ କାଷ୍ଟିଙ୍ଗ୍ କଂଟ୍ରୋଲ୍ ରୁମ୍ କୁ ପ୍ରବେଶ ନିଷିଦ୍ଧ କରାଯାଇଥିବା ସହ କୌଣସି ଫଟୋ କିମ୍ବା ଭିଡିଓ ଉତୋଳନ କରିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନୋ କ୍ୟାମ୍ପେନ୍ ଜୋନ୍ ଅର୍ଥାତ୍ ପୋଲିଂ ଷ୍ଟେସନର ୧୦୦ ମିଟର ପରିସର ମଧ୍ୟରେ ଜୁନ୍ ୧ ମତଦାନ ଦିବସରେ ଗଣମାଧ୍ୟମ ପ୍ରତିନିଧି କୌଣସି ସାକ୍ଷାତ୍ କାର ନେଇପାରିବେ ନାହିଁ ।

Leave a Reply

Your email address will not be published. Required fields are marked *