ସରିଲା ନିର୍ବାଚନୀ ପ୍ରଚାର, ଜିଲାରେ ଜାରି ହେଲା ୧୪୪ ଧାରା 

କେନ୍ଦ୍ରାପଡ଼ା,୩୦/୫/୨୦୨୪ (ଓଡ଼ିଶା ସମାଚାର)- ଜୁନ୍ ୧ ଭୋଟଗ୍ରହଣ ପାଇଁ କେନ୍ଦ୍ରାପଡ଼ା ଜିଲା ନିର୍ବାଚନ ଅଧିକାରୀ ଏବଂ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା, ୯୮-ଆଳି, ୯୯-ରାଜନଗର ଓ ୧୦୦-ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମଗ୍ର ଅଂଚଳରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧେଶମତେ ଫୌଜଦାରୀ ଆଇନ୍ ୧୮୭ରେ ୧୪୪ ଧାରା ଜାରି କରିଛନ୍ତି । ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ଏହା ମେଁ ୩୦ ତାରିଖ ସଂଧ୍ୟା ୬ଘଟିକା ଠାରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ବଳବତର ରହିବ । ସୂଚନାଯୋଗ୍ୟ ଜନପ୍ରତିନିଧି ଅଧିନିୟମ ୧୯୫୧ର ଧାରା ୧୨୬ ଓ ୧୩୦ ଅନୁଯାୟୀ ମତଦାନ ଶେଷ ହେବାର ୪୮ ଘଂଟା ପୂର୍ବରୁ ସମସ୍ତ ନିର୍ବାଚନ ପ୍ରଚାର ଶେଷ ହେବ । ତେଣୁ ଆଜି ସଂଧ୍ୟା ୬ଘଟିକା ପରଠାରୁ କୌଣସି ବ୍ୟକ୍ତି ନିର୍ବାଚନ ସମ୍ବନ୍ଧିତ ସାଧାରଣ ସଭା କିମ୍ବା ଶୋଭାଯାତ୍ରାର ଆୟୋଜନ ବା ନିର୍ବାଚନୀ ସଭାରେ ଉଦବୋଧନ ଦେଇପାରିବେ ନାହିଁ । ଟେଲିଭିଜନ, ରେଡିଓ, ସଙ୍ଗୀତ କାର୍ଯ୍ୟକ୍ରମ, ନାଟକ ପ୍ରଦର୍ଶନ କିମ୍ବା ଅନ୍ୟ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଜରିଆରେ ନିର୍ବାଚନୀ ପ୍ରଚାର ପ୍ରସାର ହୋଇପାରିବ ନାହିଁ । ପ୍ରଚାର ସମୟ ଶେଷ ହେବା ପରେ ଅର୍ଥାତ୍ ଆଜି ୬ଘଟିକା ପରେ କେନ୍ଦ୍ରାପଡ଼ା ଜିଲାର ଭୋଟରଙ୍କ ବ୍ୟତୀତ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବାହାର ନିର୍ବାଚନମଣ୍ଡଳୀର ଦଳୀୟ କର୍ମକର୍ତା ବା ବ୍ୟକ୍ତିବିଶେଷ ଜିଲାରେ ରହିପାରିବେ ନାହିଁ । ମେଁ ୩୦ ସଂଧ୍ୟା ୬ଘଟିକାରୁ ଜୁନ୍ ୧ ସଂଧ୍ୟା ୬ଘଟିକା ପର୍ଯ୍ୟନ୍ତ ଡ୍ରାଏ ଡେ ପାଳନ କରାଯିବ । ମତଦାନ ଦିବସରେ ପ୍ରାର୍ଥୀ, ଏଜେଂଟ୍ ଓ ଦଳୀୟ କର୍ମକର୍ତାଙ୍କ ଚଳାଚଳ ପାଇଁ ମୋଟ୍ ୩ଟି ଗାଡ଼ିର ଅନୁମତି ଦିଆଯାଇପାରିବ । ଦଳୀୟ କର୍ମକର୍ତା ବା ପ୍ରାର୍ଥୀ ମତଦାତାଙ୍କୁ ସେମାନଙ୍କ ଘରୁ ଭୋଟଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ନେବା ଆଣିବା କରିପାରିବେ ନାହିଁ । ମତଦାନ କେନ୍ଦ୍ରର ୧୦୦ ମିଟର ପରିସର ମଧ୍ୟରେ କୌଣସି ଦଳୀୟ କର୍ମକର୍ତା ଦଳୀୟ ଚିହ୍ନରେ ଭୋଟଦାନ ପାଇଁ ଭୋଟରଙ୍କୁ ପ୍ରରୋଚିତ କରିପାରିବେ ନାହିଁ । ପ୍ରାଧିକୃତ ଅଧିକାରୀଙ୍କ ବ୍ୟତୀତ ମତଦାନ କେନ୍ଦ୍ରର ୧୦୦ ମିଟର ପରିସୀମା ମଧ୍ୟରେ ମୋବାଇଲ, ସ୍ମାର୍ଟ ୱାଚ୍ ଆଦି ନିଷେଧ କରାଯାଇଥିବା ବେଳେ ଲାଉଡ୍ ସ୍ପିକର୍, ଆମ୍ପ୍ଲିଫାୟାର୍ ଏବଂ ଉଚ୍ଚ ସ୍ୱର କରୁଥିବା ଅନ୍ୟ ଯେ କୌଣସି ଉପକରଣର ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି । ପ୍ରାଧିକୃତ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ମତଦାନ କେନ୍ଦ୍ର ପରିସରରେ ଅସ୍ତ୍ରଧାରଣ କରି ରହିବା ମଧ୍ୟ ନିଷେଧ ଅଟେ । ନିର୍ବାଚନ ଶେଷ ପର୍ଯ୍ୟାୟର ସମାପ୍ତି ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ର ଫଳାଫଳ ଘୋଷଣା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି । କୌଣସି ବ୍ୟକ୍ତି ଏହି ନିର୍ଦ୍ଧେଶନାମାକୁ ଅମାନ୍ୟ କଲେ ଭାରତୀୟ ପିଙ୍ଗଳ କୋଡ୍ ଧାରା ୧୮୮ ଏବଂ ଅନ୍ୟ ସଂପୃକ୍ତ ପ୍ରାବଧାନ ଅନୁଯାୟୀ ଦଣ୍ଡିତ ହେବେ ।

Leave a Reply

Your email address will not be published. Required fields are marked *