ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଲେ ବିଭାଗୀୟ ଅଧିକାରୀ
ନିରାକାରପୁର, ୩୦/୦୫/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ୫ ଟି ପଞ୍ଚାୟତର ଲୋକ ପ୍ରତିନିଧି ଓ ବିଦ୍ୟୁତ୍ ଉପଭୋକ୍ତା ମାନେ ଆଜି ପୂର୍ବାହ୍ନ ୧୧ ଟା ବେଳେ ଏକଜୁଟ ହୋଇ ବିଭିନ୍ନ ସମସ୍ୟା ନେଇ ଜଂକିଆ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଏକ ଘଣ୍ଟା ପାଇଁ ଘେରାଉ କରିଥିଲେ। ପରେ ବିଭାଗୀୟ ଅଧିକାରୀ ମାନେ ସେମାନଙ୍କ ସହିତ ଆଲୋଚନା କରି ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଏହାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେବା ପରେ ଉତ୍ୟକ୍ତ ଲୋକମାନେ କାର୍ଯ୍ୟାଳୟ ଛାଡ଼ି ଚାଲିଯାଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ ବିଦ୍ୟୁତ୍ ସଂଯୋଗ ଖୋର୍ଦ୍ଧା ଜଂକିଆ ପଟୁ ପୂର୍ବରୁ ହୋଇଥିବାବେଳେ ୩ ମାସ ହେବ ଏହାକୁ ବିଚ୍ଛିନ୍ନ କରି ସରପାରୀ, ଅଚ୍ୟୁତପୁର , ଟାଙ୍କୋଳ, ଛଣଗିରି ଓ ହଜ ପଞ୍ଚାୟତକୁ ଚାନ୍ଦପୁର ପାରୁ ୩୩ କେଭି ବିଦ୍ୟୁତ୍ ସହିତ ସଂଯୋଗ କରାଯାଇଛି।
ତେଣୁ ବର୍ତ୍ତମାନ ଲୋ ଭୋଲଟେଜ୍, ଅଘୋଷିତ ବିଦ୍ୟୁତ୍ କାଟ ବାରମ୍ବାର ହେଉଛି। ଫଳରେ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ଏହି ବିଦ୍ୟୁତ୍ ସଂଯୋଗ କୁ ପୁନର୍ବାର ଜଂକିଆ ୩୩ କେଭି ବିଦ୍ୟୁତ୍ ସହିତ ସଂଯୋଗ କରି ନିରିବିଛିନ୍ନ ବିଦ୍ୟୁତ୍ ସରବରାହ ର ବ୍ୟବସ୍ଥା କରାଯାଉ। ଏହି ସବୁ ବିଷୟରେ ଜଂକିଆ ଏସ ଡି ଓ ଘେରାଉ କରିଥିବା ଲୋକମାନଙ୍କୁ ସହିତ ଆଲୋଚନା କରି ଏହି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ କହିଥିଲେ। ଏହି ଆନ୍ଦୋଳନରେ ଅଚ୍ୟୁତପୁର ସରପଞ୍ଚଙ୍କ ପ୍ରତିନିଧି ଟଙ୍କଧର ମହାପାତ୍ର, ଟାଙ୍କୋଳ ସରପଂଚ ବିରେଶ କୁମାର ରାଜଗୁରୁ, ହଜ ସରପଂଚ ଙ୍କ ପ୍ରତିନିଧି ପୁଲକ୍ ବଡ଼ଜେନା, ସରପାରୀ ସରପଂଚ ପ୍ରଭାତ କୁମାର ଦାସ, ଟାଙ୍କୋଳ ସମିତି ସଭ୍ୟ ରତ୍ନାକର ସାହୁ ପ୍ରମୁଖଙ୍କ ସମେତ ବହୁ ଉପଭୋକ୍ତା ଉପସ୍ଥିତ ଥିଲେ।