ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬/୦୫/୨୦୨୪ (ଓଡ଼ିଶା ସମାଚାର)-  ତୀବ୍ର ବାତ୍ୟାର ରୂପ ନେଇ ସାରିଛି ବାତ୍ୟା ରେମାଲ । ଆଜି ମଧ୍ୟରାତ୍ରୀରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଭଦ୍ରକ,ବାଲେଶ୍ୱର,ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତି । ଉପକୂଳ ଓଡିଶାରେ ମଧ୍ୟ ଆଜି କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୪୮ ଘଂଟା ପରେ ରାଜ୍ୟରେ ପାରା ବଢିବ ବୋଲି ଆକଳନ ହୋଇଛି । ସେପଟେ ‘ରେମାଲ’ର ପ୍ରଭାବ ଓଡ଼ିଶାରେ ଏହାର ସିଧା ପ୍ରଭାବ ନପଡ଼ିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଏସଆରସି ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ସହ ପବନ ବହିବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ ବିଭାଗ ସତର୍କ କରାଇଦେଇଛି।

Leave a Reply

Your email address will not be published. Required fields are marked *