ଭୁବନେଶ୍ୱର,୨୮/୧୧/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରେ ଅଷ୍ଟମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ଶ୍ରୀ ଶୁଭେନ୍ଦୁ ମହାନ୍ତି ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ । ପାଠକ ପାଠିକା ମାନଙ୍କୁ ବଡ଼ ସ୍ଵପ୍ନ ଦେଖିବା, ସମୟର ସଦୁପଯୋଗ କରିବା, ଅନ୍ୟ ମାନଙ୍କଠୁ ଅଲଗା ହେବା, ନିରନ୍ତର ପ୍ରୟାସ କରିବା ପାଇଁ ପରାମର୍ଶ ଦେଇଥିଲେ । ପାଠକ ପାଠିକା ମାନଙ୍କ ସହ ବାର୍ତ୍ତଳାପ ମାଧ୍ୟମରେ ସେମାନଙ୍କ ପ୍ରସ୍ତୁତିରେ ଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ଶାସନ ସଚିବ ତଥା ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସଂଚାଳନ କରିଥିଲେ । ସେ ପାଠକ ପାଠିକା ମାନଙ୍କୁ ସମୟର ସଦୁପଯୋଗ କରି ନିରନ୍ତର ପ୍ରୟାସ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ବକ୍ତୃତାମାଳାରେ ଗ୍ରନ୍ଥାଗାରର ଗ୍ରନ୍ଥାଧ୍ୟକ୍ଷ ଶ୍ରୀମତୀ ସଙ୍ଘମିତ୍ରା ସାହୁ, ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଶ୍ରୀ ବିଦ୍ୟାଧର ପଣ୍ଡା, ଶ୍ରୀମତୀ ସଳିତା ପାତ୍ର, ଶ୍ରୀମତୀ ମଞ୍ଜୁ ରାଣୀ ମୁଦୁଲି, ସମସ୍ତ ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।