ଶିଶୁ ଦିବସରେ ମନେପଡ଼ନ୍ତି ଚାଚା ନେହେରୁ, କୋଠପଦା ଉଚ୍ଚ ବିଦ୍ୟାଳୟ ଉତ୍ସବ ମୁଖର

 ମାହାଙ୍ଗା, ୧୪/୧୧/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )- ରାଷ୍ଟ୍ର ନିର୍ମାଣରେ ଶିଶୁ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ଭିତରେ ଦେଶ ଓ ଜାତି ପାଇଁ ସମର୍ପଣ ଭାବନା ଏବଂ ନୂଆ ସମ୍ଭାବନା ସୃଷ୍ଟି କରାଯିବା ସବୁଠାରୁ ବଡ଼ ଆହ୍ୱାନ ବୋଲି ଚାଚା ନେହେରୁ ସବୁବେଳେ ଯୋର ଦେଉଥିଲେ । ପଣ୍ଡିତ ନେହେରୁଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ରଘୁନାଥ ବିଦ୍ୟାପୀଠ କୋଠପଦା ପକ୍ଷରୁ ଶିଶୁ ଦିବସ ସମାରୋହ ଆୟୋଜିତ ହୋଇଯାଇଛି ।  ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପର୍ଶୁରାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଶିଶୁ ମାନଙ୍କ ମନର ଭାବନାକୁ ଜନପ୍ରିୟ ପ୍ରଧାନମନ୍ତ୍ରୀ ଚାଚା ନେହେରୁ ପ୍ରାଞ୍ଜଳ ଭାବେ ପଢିପାରୁଥିବାରୁ ତାଙ୍କ ଜୀବନାଦର୍ଶ ପ୍ରତିଟି ଶିଶୁର ହୃଦୟକୁ ଛୁଇଁ ପାରିଛି । ମୁଖ୍ୟବକ୍ତାଭାବେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଯୋଗଦେଇ କହିଲେ ଶିଶୁର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ଆମ ସମସ୍ତଙ୍କ ପାଇଁ ଗୁରୁ ଦାୟୀତ୍ୱ ।  ସେହିପରି ସମ୍ମାନିତ ଅତିଥିଭାବେ ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ କାର୍ଯ୍ୟକ୍ରମ ସାମିଲ ହୋଇଥିଲେ । ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଦ୍ୟାଳୟ ଶିକ୍ଷାକମିଟି ଉପସଭାପତି ସ୍ବର୍ଣ୍ଣଲକ୍ଷ୍ମୀ ଦାସ,କମିଟି ସଦସ୍ୟ ମନୋଜ ରାଉତ, ସରୋଜିନୀ ପଣ୍ଡା ପ୍ରଭାତୀ ଦାସ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାଗୁଣି ଚରଣ ସାମଲ, ବ୍ରଜବନ୍ଧୁ ପଲେଇ, ନିହାରିକା ପ୍ରିୟଦର୍ଶିନୀ, ରଶ୍ମିତା ବାରିକ, ଗୌରୀଶଙ୍କର ମିଶ୍ର,ସନ୍ଧ୍ୟାରାଣୀ ଦାସ, ଯୋଗଜନ୍ମା ବେହେରା ଏବଂ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରୁ ସୁଶୀଲ କୁମାର ସେଠୀ ଓ ଅର୍ଚ୍ଚନା ଅର୍ଚିତା ରାଉତ ଶିଶୁ ଦିବସ ପରିପ୍ରେକ୍ଷୀରେ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ର-ଛାତ୍ରୀ ମାନଙ୍କୁ ଉତ୍ସବରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।  ଶିକ୍ଷୟିତ୍ରୀ ରଞ୍ଜୁଲତା ରାଉତ ଧନ୍ୟବାଦ ଅର୍ପଣ କରିଥିବା ବେଳେ,  ଅଜୟ କୁମାର ନନ୍ଦ ଓ ବିଦ୍ୟାଳୟର ସ୍ବେଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *