କେନ୍ଦ୍ରାପଡ଼ା,୨୨/୦୩/୨୦୨୫(ଓଡ଼ିଶା ସମାଚାର)- ପଂଚମ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ-୨୦୨୫ ଶନିବାର ଠାରୁ ଜିଲା ସଂସ୍କୃତି ଭବନରେ ଆରମ୍ଭ ହେଇଛି । କେନ୍ଦ୍ରାପଡ଼ା ଡେଭଲପମେଂଟଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଂଟ ମ୍ୟାନେଜର୍ସ ସହଯୋଗରେ ଆୟୋଜିତ ଏହି ଉତ୍ସବ ଦୁଇ ଦିନ ଧରି ଚାଲିବ । ଉଦଘାଟନୀ ଉତ୍ସବରେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ଡ. ରାମଚନ୍ଦ୍ର ବେହେରା, ଅଧ୍ୟାପକ ବିଶ୍ୱରଞ୍ଜନ ଓ ଡ. ଜୟନ୍ତ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । କେମର ସଭାପତି ଅକ୍ଷୟ ପାଣି ସଭାକୁ ସଂଯୋଜନା କରିଥିଲେ ।
କେନ୍ଦ୍ରାପଡ଼ା ଡେଭଲପମେଂଟ ଫାଉଣ୍ଡେସନ ଟ୍ରଷ୍ଟି ପ୍ରଶାନ୍ତ ସାମନ୍ତରାୟ ମଂଚାସିନ ଥିଲେ । ଅଧ୍ୟାପକ ଶ୍ରୀଧର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଉଦଘାଟନୀ ଉତ୍ସବ ପରେ ‘ଶ୍ରୀରାଧାର କବି’ ଶୀର୍ଷକ ବିଷୟବସ୍ତୁ ଉପରେ ହୋଇଥିବା ଆଲୋଚନାରେ କବି ଅପର୍ଣ୍ଣା ମହାନ୍ତି ଓ ସଙ୍ଗୀତ ନିର୍ଦ୍ଧେଶକ ଶରତ ନାୟକ ଯୋଗ ଦେଇଥିଲେ । ଅପରାହ୍ନରେ ‘ଦାମ୍ପତ୍ୟର ଗଣିତ ଓ ସୃଜନର ଗୁଣୁଗୁଣୁ’, ‘କବିର ଆଖିରେ କବିତାର ମୁହଁ’ ଶୀର୍ଷକକୁ ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କବିତା ଆସର ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉଦଘାଟନୀ ଉତ୍ସବ ପୂର୍ବରୁ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ କୁଇଜ୍ ଅନୁଷ୍ଠିତ ହୋଇଥିଲା । ଏହାକୁ ଅଧ୍ୟାପକ ଡ. ରାଜେଶ ସେଠୀ, ସୁକାନ୍ତ କୁମାର ପ୍ରଧାନ, ଡ. ଆଶୁତୋଷ ରାଉତ, ଡ. ଗିରିଜାକାନ୍ତ ଦାସ, ଡ. ଅଜିତ କୁମାର ଦାସ ଓ ପ୍ରତିଭାମୟୀ ଦାସ ପ୍ରମୁଖ ପରିଚାଳନା କରିଥିଲେ । କେନ୍ଦ୍ରାପଡ଼ା ଇଭେଂଟ ମ୍ୟାନେଜର୍ସ ର ଉପଦେଷ୍ଟା ତଥା ଜଣାଶୁଣା କଥାକାର ଡ. ବିରଜା ରାଉତରାୟ ଓ କେନ୍ଦ୍ରାପଡ଼ା ଡେଭଲପମେଂଟ ଫାଉଣ୍ଡେସନର ଆବାହକ ଚୌଧୁରୀ ଅମିତାଭ ଦାସ ଉପସ୍ଥିତ ଥିଲେ । କେନ୍ଦ୍ରାପଡ଼ା ଡେଭଲପମେଂଟ ଫାଉଣ୍ଡେସନ୍ ଟ୍ରଷ୍ଟି ବିଶ୍ୱରଞ୍ଜନ ଦାଶ, କେମ୍ ର ସମ୍ପାଦକ ମହମ୍ମଦ ଜାହିଦ ଖାନ, ସଦସ୍ୟ ପ୍ରତାପ ସ୍ୱାଇଁ ଉତ୍ସବକୁ ପରିଚାଳନା କରିଥିଲେ ।
