କଟକ ସଦର ରାଜନୀତି: ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ର ସାରଥି ଗଡ଼ ରକ୍ଷା କରିବାକୁ ଉଦ୍ୟତ, ବିଜେପି ପ୍ରାର୍ଥୀ ପ୍ରକାଶଙ୍କ ‘ କର ବା ମର’ ଉଦ୍ୟମ

କଟକ ସଦର , ୧୫/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ୨୫ ରେ ଭୋଟ । ଆଉ ମାତ୍ର ହାତରେ ୧୦ ଦିନ। ଏଥିରେ କଟକ ସଦର ୯୩ ନମ୍ବର ସଂରକ୍ଷିତ ଆସନରେ ନିର୍ବାଚନ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଦୁଇ ଥର ବିଜେଡ଼ି ରୁ ବିଧାୟକ ହୋଇ ପୁଣି ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ଚନ୍ଦ୍ର ସାରଥି ବେହେରା ଗଡ଼ ରକ୍ଷା କରି ଵାଜିଗର ହେବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ତାଙ୍କର ମୂଖ୍ୟ ପ୍ରତିଦ୍ବନ୍ଦି ଭାବେ ଉଭା ହୋଇଛନ୍ତି ଜାତୀୟ ବିଜେପି ଦଳର ନଵାଗତ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ। ଏଥିପାଇଁ ପ୍ରକାଶଙ୍କ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ ପୁରୁଣା ପ୍ରାର୍ଥୀ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଯୋରଦାର ହେଉଥିବା ଦେଖାଯାଇଛି।ହେଭିୱଟ୍ ଭାବେ ବିଜେଡ଼ିର ଷ୍ଟାର ପ୍ରଚାରକ ଭୈରବ କାର୍ତ୍ତିକେୟ ପାଣ୍ଡିଆନ ଚନ୍ଦ୍ର ସାରଥିଙ୍କ ପାଇଁ ପ୍ରଚାର କରି ଫେରିଯାଇଥିବା ବେଳେ ପ୍ରକାଶଙ୍କ ପାଇଁ କେହି ଓହ୍ଲାଇ ନଥିବା ଜଣାପଡ଼ିଛି। ହେଲେ ଆସନ୍ତା ୧୭ ତାରିଖ ଶୁକ୍ରବାର ଦିନ କିଶନନଗରକୁ ବରିଷ୍ଠ ଵିଜେପି ନେତ୍ରୀ ବିଶିଷ୍ଟ ହଲିଉଡ୍ ତାରକା ହେମାମାଳିନୀ ପ୍ରକାଶଙ୍କ ପାଇଁ ପ୍ରଚାରକୁ ଆସୁଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ କଂଗ୍ରେସରୁ ରାମଚନ୍ଦ୍ର ଗୋଛୟତ ଓ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ରୁ ପରମାନନ୍ଦ ସେଠୀ ପ୍ରାର୍ଥୀ ହୋଇଥିବା ବେଳେ ପ୍ରତିଦ୍ବନ୍ଦିତା ବିଜେଡ଼ି ଓ ବିଜେପି ମଧ୍ୟରେ ହେବ ବୋଲି ଜଣାଯାଇଛି। ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୨୭ ହଜାର ୧୩୧ ଜଣ ଭୋଟର ସେମାନଙ୍କ ର ମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *