ପ୍ରବଳ ପବନ ବର୍ଷାରେ କେନ୍ଦ୍ରାପଡା ସହର ବେହାଲ

କେନ୍ଦ୍ରାପଡ଼ା,୧୪/୦୫/୨୦୨୪ (ଓଡ଼ିଶା ସମାଚାର)- କାଳ ବୈଶାଖି ପବନ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରତଳି ଅଂଚଳ ବେହାଲ ହୋଇପଡିଥିବା ଦେଖାଯାଇଛି । ସହରର ମଢିଆଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟ କୃଷ୍ୃଚୂଡା ଗଛଟି ପ୍ରବଳ ପବନରେ ତିନିମୁହାଣି- ନୂଆବସଷ୍ଟାଣ୍ଡ ରାସ୍ତା ଉପରେ ଭାଙ୍ଗି ପଡିବା ଯୋଗୁଁ ସେହି ରାସ୍ତାରେ ବେସ କିଛି ଘଂଟାଧରି ଚଳପ୍ରଚଳରେ ଗୁରୁତର ବାଧା ସୃଷ୍ଟି ହୋଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡି ଘଂଟା ଘଂଟା ଧରି ଛିଡା ହୋଇ ରହିଥିଲା । ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ଗାଡି ପହଂଚିବା ପରେ ଅଗ୍ନିଶମ କର୍ମଚାରୀମାନେ ରାସ୍ତା ଉପରେ ପଡିଥିବା ଗଛକୁ କାଟି ରାସ୍ତା ସଫା କରିଥିଲେ । ଫଳରେ ସେହି ରାସ୍ତା ଦେଇ ଲୋକମାନେ ସୁବିଧାରେ ଚଳପ୍ରଚଳ କରିପାରିଥିଲେ । ସେହିପରି ଜଳସେଚନ ବିଭାଜନ କାର୍ଯ୍ୟାଳୟ ସମ୍ମୁଖ ପୌରସଂସ୍ଥା ଯାତ୍ରୀନିବାସରେ ଚାଲିଥିବା କେନ୍ଦ୍ରାପଡା ଉପଜିଲାପାଳ ତଥା ୯୬-ପାଟକୁରା ଓ ୯୭-କେନ୍ଦ୍ରାପଡା(ସଂରକ୍ଷିତ) ବିଧାନସଭା ଆସନର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ବାଚନ ପାଇଁ ହୋଇଥିବା ଟେନ୍ଟଟି ମଧ୍ୟ ପବନରେ ଭୁଷୁଡି ପଡିଥିଲା । ସେହି ଟେନ୍ଟ ତଳେ ବସିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସାମ୍ବାଦିକମାନେ ଅଳ୍ପକେ ଏକ ବିରାଟ ଦୂର୍ଘଟଣାରୁ ରକ୍ଷା ପାଇଯାଇଥିଲେ । ସେହି ଟେନ୍ଟଟି ପବନରେ ହଠାତ୍ ଭୁଷୁଡି ପଡିଥିଲା । ସେହି ଟେନ୍ଟଟି ସଠିକ ଭାବରେ ଓ ସୁରକ୍ଷିତ ଭାବେ ବନ୍ଧା ଯାଇନଥିବାରୁ ଟେନ୍ଟରେ ବ୍ୟବହୃତ ଲୁହା ପାଇପ୍ ଗୁଡିକ ରାସ୍ତା ପଟକୁ ପଡି ଭିତର ଆଡକୁ ଭୁଷି ହୋଇଯାଇଥିଲା । ଠିକ ତା ପୂର୍ବରୁ ସେହି ସ୍ଥାନରେ ବସିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସାମ୍ବାଦିକମାନେ ସେ ସ୍ଥାନ ଛାଡି ନିକଟରେ ଥିବା ପୋର୍ଟିକ ତଳକୁ ପଳାଇ ଯାଇଥିଲେ । ଫଳରେ ସେମାନଙ୍କ ଜୀବନ ଅଚିରେ ରକ୍ଷା ପାଇଯାଇଥିଲା । ଏଭଳି ଅସୁରକ୍ଷିତ ଟେନ୍ଟ ବାନ୍ଧିଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *