୪ଲୋକସଭା ପ୍ରାର୍ଥୀଙ୍କ ସମେତ ୯ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେନ୍ଦ୍ରାପଡା, ୧୦/୦୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଆଜି ଚତୁର୍ଥ ଦିବସରେ ୪ଲୋକସଭା ପ୍ରାର୍ଥୀଙ୍କ ସମେତ ୯ଜଣ ବିଧାନସଭା ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନିମନ୍ତେ ବିଜୁ ଜନତା ଦଳରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଭାରତୀୟ ଜନତା ପାର୍ଟିରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ସ୍ୱାଧୀନପ୍ରାର୍ଥୀ ଭାବେ ସୈାଭାଗ୍ୟକେତନ ସାମଲ ଏବଂ ପ୍ରଜ୍ଞାନ ପ୍ରକାଶ ମହାପାତ୍ର ନାମାଙ୍କନପତ୍ର ଦାଖଲ କରିଛନ୍ତି । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ସୁପୁତ୍ର ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଗରାପୁର ଠାରୁ ଏକ ବିଶାଳଶୋଭାଯାତ୍ରାରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ଜିଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ପାଖରେ ମନୋନୟନପତ୍ର ଦାଖଲ କରିଥିବା ବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦୁହୁରିଆ ପାର୍ଟି କାର୍ଯ୍ୟାଳୟ ନିକଟରୁ ଏକ ରାଲିରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ । ସେହିଭଳି ୯୬-ପାଟକୁରା ବିଧାନସଭା କ୍ଷେତ୍ର ନିମନ୍ତେ ବିଜୁ ଜନତାଦଳରୁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସୁପୁତ୍ର ଅରବିନ୍ଦ ମହାପାତ୍ର ଡେରାବିଶ ବ୍ଲକର ବାଲିପାଟଣା ଲଛମନଜୀଉ ମନ୍ଦିର ନିକଟରୁ ଏକ ରାଲିରେ ଆସି ରିଟର୍ଣ୍ଣିଂ ଅଫିସର ରବୀନ୍ଦ୍ର କୁମାର ପ୍ରଧାନଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରତିକାନ୍ତ କାନୁନଗୋ ପାଟକୁରାର ଚଁପୁର ପାର୍ଟି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆପ୍ ପ୍ରାର୍ଥୀ ଅଶୋକ କୁମାର ତ୍ରିପାଠୀ ଚାନ୍ଦୋଳର ମା’ କନ୍ତରେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ରାଲିରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ । ୯୭-କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଜଜାଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ତିନିମୁହାଣି ଛକ ଓ ସହର ମଧ୍ୟଦେଇ ରିଟର୍ଣ୍ଣିଂ ଅଫିସର ରବୀନ୍ଦ୍ର କୁମାର ପ୍ରଧାନଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିଲେ । ସେହିଭଳି ୯୯-ରାଜନଗର ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ଧ୍ରୁବ ଚରଣ ସାହୁ ଗରାପୁର ଠାରୁ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ସହ ଏକ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସର ନିଲୁ ମହାପାତ୍ରଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ମନୋଜ କୁମାର ରାଉତ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଥିଲେ । ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ବିଜୁଜନତା ଦଳ ପ୍ରାର୍ଥୀ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି କେନ୍ଦ୍ରାପଡା ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାସଙ୍କ ନିକଟରେ ମନୋନୟନପତ୍ର ଦାଖଲ କରିଥିଲେ । ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ମହାକାଳପଡା ବ୍ଲକ ଅନ୍ତର୍ଗତ ପାତ୍ରଗଡର ରାଧାକୃଷ୍ଣ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନପ୍ରାର୍ଥୀ ଭାବେ ସୁପ୍ରଭା ମଲିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *