ନାଗା ସାଧୁ ବେଶରେ ଅଭିନବ ଉପାୟରେ ଲୁଟ

ଜଣେ ଗିରଫ , ୨ ଜଣ ଫେରାର
ସାକ୍ଷୀଗୋପାଳ ୧୨/୦୬/୨୦୨୫ (ଓଡ଼ିଶା ସମାଚାର)- ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାୟିକିଆ ଛକ ନିକଟରେ ଆଜି ଦିନ ପ୍ରାୟ ୧୨ ଟା ସମୟରେ ନାଗା ସାଧୁ ବେଶରେ ୩ ଜଣ ବ୍ୟକ୍ତି ଅଭିନବ ଉପାୟରେ ଆଶୀର୍ବାଦ କରିବା ଅବସରରେ ଟଙ୍କା ଲୁଟ କରିଥିଲେ । ନାଗା ସାଧୁ ବେଶରେ ରଞ୍ଜନ ସିଂ ଓରଫ ନାଥ (୨୫ ) ପିତା ମହେନ୍ଦ୍ର ସିଂ, ବିକାଶ ନଗର, ସୋନିପତ, ହରିୟାନା ଓ ଅନ୍ୟ ୨ ଜଣ ନାଗା ସାଧୁ ବେଶରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ଯାନବାହାନ ଗୁଡିକ ଅଟକାଇ ଫୁଲ ଓ ପାଣି ପ୍ରଦାନ କରି ଆଶୀର୍ବାଦ କରୁଥିଲେ ।

ଏହି ସମୟରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅଗର ପୁର ଗ୍ରାମର ପିତା ଲକ୍ଷ୍ମୀଧର ସାହୁ, ବଡ଼ ପୁଅ ସୌମ୍ୟ ରଞ୍ଜନ ସାହୁ ଓ ସାନ ପୁଅ ଆଶିଷ କୁମାର ସୁବୁଦ୍ଧି ଏକ କାର ଯୋଗେ ପିପିଲିରୁ ନିଜ ଗ୍ରାମ ଅଗର ପୁର ଫେରୁଥିଲେ । ଏହି ସାଧୁ ୩ ଜଣ ହାତ ଦେଖାଇ ଅଟକାଇଥିଲେ । କାରଟି ଅଟକିବା ପରେ ଲକ୍ଷ୍ମୀଧର ସାହୁ ଏହି ସାଧୁ ମାନଙ୍କୁ ୨୦ ଟଙ୍କା ଦେଇଥିଲେ । ଏହି ସାଧୁମାନେ ହମ ଲେନେବାଲା ନାହିଁ, ଦେନେ ଵାଲା ନାହିଁ କହିଥିଲେ । ତୁହ୍ମାରା ପର୍ସ ଦେଖାଓ, ହମ ଉସେ ଅଭିମନ୍ତ୍ରିତ କରଦେଙ୍ଗେ । ତୁହ୍ମାରା ପୈସା ଅଭାବ ନହିଁ ରହେଗା । ପୈସା ହରଦମ ଆଏଗା । ଏହି କଥା ଶୁଣି ସୌମ୍ୟ ରଞ୍ଜନ ସାହୁ ଓ ଆଶିଷ କୁମାର ସୁବୁଦ୍ଧି ସେମାନଙ୍କ ପର୍ସ ଦେଖାଇଥିଲେ । ଏମାନଙ୍କ ମଧ୍ୟରୁ ୨ ଜଣ ସାଧୁ ଏମାନଙ୍କ ପର୍ସରେ ଫୁଲ ଓ ପାଣି ପକାଇଥିଲେ । ଏହି ଫୁଲ ଓ ପାଣି ପକାଇବା ସମୟରେ ସାଧୁ ଦ୍ବୟ ମନ୍ତ୍ର ମନ୍ତ୍ରୋଚାରଣ କରି ସୌମ୍ୟ ରଞ୍ଜନ ସାହୁଙ୍କ ପର୍ସରେ ଥିବା ୨୫୦୦୦ ଟଙ୍କା ଓ ଆଶିଷ କୁମାର ସୁବୁଦ୍ଧିଙ୍କ ପର୍ସରେ ଥିବା ୫୦୦୦ ଟଙ୍କା ବାହାର କରି ନେଇଥିଲେ । ଫୁଲ ଓ ପାଣି ପଡିବା ଓ ମନ୍ତ୍ରୋଚାରଣ ପରେ ଏହି ୨ ଜଣ ଟଙ୍କା ଫେରାଇବା ନିମନ୍ତେ କହିଥିଲେ ।

ମାତ୍ର ସାଧୁ ୩ ଜଣ ଟଙ୍କା ଫେରାଇବା ବଦଳରେ ପିଛେ ମତ ତକାଓ । ବହତ ବୁରା ହୋଗା । ଚଲେଯାଓ କହିଥିଲେ । ସନ୍ଦେହ ହେବାରୁ ଏମାନେ ଟଙ୍କା ଫେରସ୍ତ ମାଗିଥିଲେ । ଏହି ସମୟରେ ସାଧୁ ମାନେ ବିଭିନ୍ନ ବାହାନା ଦେଖାଇ ଖସିଯିବା ନିମନ୍ତେ ଉଦ୍ୟମ କରିଥିଲେ । ସୌମ୍ୟ ରଞ୍ଜନ ସାହୁ ପୋଲିସ କୁ ଫୋନ କରିଥିଲେ । ସତ୍ୟବାଦୀ ପୋଲିସ ଭ୍ୟାନ ପହଞ୍ଚିବା ଦେଖି ଯାଯାବର ହୋଟେଲ ପଟକୁ ଦୌଡ଼ିଥିଲେ । ସ୍ଥାନୀୟ ଜନସାଧାରଣ ଓ ସତ୍ୟବାଦୀ ପୋଲିସ ରଞ୍ଜନ ସିଂ ଓରଫ ନାଥକୁ କାବୁ କରି ନେଇଥିଲେ । ସତ୍ୟବାଦୀ ପୋଲିସ ଅନ୍ୟ ୨ ଜଣ ନାଗା ସାଧୁ ବେଶଧାରୀଙ୍କ ଠିକଣା ତଦନ୍ତରେ ବ୍ୟାଘାତ ଘଟିବ ବୋଲି ପ୍ରକାଶ କରି ସୂଚନା ପ୍ରଦାନ କରି ନ ଥିଲେ ।

ସତ୍ୟବାଦୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ନକଲି ନାଗା ସାଧୁ ରଞ୍ଜନ ସିଂ ଓରଫ ନାଥ ଙ୍କ ନିକଟରୁ ୫୦୦୦ ଟଙ୍କା ଜବତ କରିଥିଲେ । ସତ୍ୟବାଦୀ ପୋଲିସ ନକଲି ନାଗା ସାଧୁ ରଞ୍ଜନ ସିଂ ଓରଫ ନାଥ ଙ୍କ ବିରୁଦ୍ଧରେ ୩୦୯ (୬) ଦଫାରେ ମୋକଦ୍ଦମା ରୁଜୁ କରି ପୁରୀ କୋର୍ଟ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପୁରୀ ଜେକୁ ପଠାଇ ଦିଆଯାଇଛି । ମୋକଦ୍ଦମା ନମ୍ବର ୧୮୮/୨୦୨୫ ରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *