ଯାଜପୁର,୨୮/୦୨/୨୦୨୫ (ଓଡ଼ିଶା ସମାଚାର)-ଆଜି ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଉନ୍ନୟନ, ସମନ୍ୱୟ ଓ ପରିଚାଳନା (ଦିଶା) କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଯାଜପୁର ଲୋକସଭା ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରଣୀତ ବିଭିନ୍ନ ଯୋଜନା ଗୁଡ଼ିକର ପ୍ରଣୟନ ଓ କାର୍ଯ୍ୟକାରିତା ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା।

ବୈଠକରେ ଅଧ୍ୟକ୍ଷତା କରି ସାଂସଦ କହିଲେ ନୂତନ ସରକାର ଗଠନ ହେଲା ପରେ ପ୍ରଥମ ଥର ଏହି ବୈଠକ ଅନୁଷ୍ଠିତ ହେଉଅଛି। କେନ୍ଦ୍ରୀୟ କାର୍ଯ୍ୟକ୍ରମ ଉପରେ ଅନୁଧ୍ୟାନ କରି ଜିଲ୍ଲାକୁ ବିକଶିତ କରିବା ମୁଖ୍ୟ ଉଦ୍ଦେଶ୍ୟ। ବୈଠକରେ ଉପସ୍ଥିତ ରହି ଜିଲ୍ଲାପାଳ ତଥା ମେମ୍ବର କନ୍ଭେନର ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।
ଜାତୀୟ ସାମାଜିକ ସହାୟତା ଯୋଜନାରେ ଯେଉଁ ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀ ବ୍ୟାଙ୍କ୍ କୁ ଯାଇ ପାରୁ ନାହାଁନ୍ତି ସେମାନଙ୍କୁ ଘରେ ଯାଇ ଭତ୍ତା ପ୍ରଦାନ କରିବାକୁ ଜିଲ୍ଲାପାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ବି.ଡି.ଓ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଭତ୍ତା ପଇସା ଲୋନ ବାବଦକୁ ନକାଟିବାକୁ ବିଧାୟକ ବଡ଼ଚଣା ଶ୍ରୀ ଅମର କୁମାର ନାୟକ ପରାମର୍ଶ ଦେଇଥିଲେ। ୮୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ପ୍ରଦାନ କରିବାକୁ କହିଥିଲେ।

ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଏନ୍.ଆର.ଇ.ଜି.ଏସ ରେ ମଜୁରୀ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଚଣ୍ଡିଖୋଲ ରୁ ଡ଼ୁବୁରୀ ରାସ୍ତା କାମ ତୁରନ୍ତ ଶେଷ କରିବାକୁ ବିଧାୟକମାନେ ଏନ୍.ଏଚ୍.ଏ.ଆଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ବଡ଼ଚଣା ବ୍ଲକରେ ଦୀର୍ଘ ଦିନ ଧରି ନିର୍ମାଣଧୀନ ଅଙ୍ଗନୱାଡ଼ି ଗୃହ କାର୍ଯ୍ୟ ଶେଷ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ଏମ.ଜି.ଏନ୍.ଆର.ଇ.ଜି.ଏସ, ଦୀନଦୟାଲ ଅନ୍ତୋଦୟ ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆର.ସେ.ଟି,ସଂସଦ ଆଦର୍ଶ ଗ୍ରାମ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ଅଭିଯାନ, ସ୍ୱଚ୍ଛ ଭାରତ ମିଶନ, ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ଲାଇଭ ଷ୍ଟକ୍ ମିଶନ, ସମନ୍ୱିତ ଶିଶୁ ବିକାଶ ଯୋଜନା, ବେଟି ବଚାଓ ବେଟି ପଢାଓ ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ମହିଳା ନିରାପତ୍ତା ଓ ସୁରକ୍ଷା ଜାତୀୟ ସ୍ବାସ୍ଥ୍ୟ ମିଶନ, ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଜଳ ଜୀବନ ମିଶନ, ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମର୍ଡନାଇଜେଶନ ପ୍ରୋଗ୍ରାମ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ, ସମଗ୍ର ଶିକ୍ଷା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପି.ଏମ.ଇ.ଜି.ପି, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା, ଏମ.ପି ଲ୍ୟାଡ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ, ପ୍ରି ଏବଂ ପୋଷ୍ଟ ମାଟ୍ରିକ ସ୍କଲାରସିପ, ଖେଲୋ ଇଣ୍ଡିଆ, ଇ-ଶ୍ରମ ପୋର୍ଟାଲ ଉପରେ ପୁଙ୍ଖନୁପୁଙ୍ଖ ଆଲୋଚନା ହୋଇଥିଲା।
ବୈଠକରେ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ବରୀ ବିଧାୟକ ଶ୍ରୀ ବିଶ୍ବରଂଜନ ମଲ୍ଲିକ, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ସମବାୟ ମନ୍ତ୍ରୀଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା, ଉପାଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବରାଳ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶୋକ କୁମାର କୁମାର ବେହୁରିଆ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ସମସ୍ତ ବ୍ଲକ୍ ଓ ମୁନିସିପାଲିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବି.ଡି.ଓ, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଗଣ ଉପସ୍ଥିତ ଥିଲେ।
