ପାରାଦୀପ/ ଭୁବନେଶ୍ବର, ୦୫/୦୫/୨୦୨୪ (ଓଡ଼ିଶା ସମାଚାର)- ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ ୧.୦୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ। ଏହା ସୁନାମି ଭଳି ହେବାର ସମ୍ଭାବନା ରହିଛି। ଏଥିସହିତ କାଳବୈଶାଖି ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ବହିପାରେ। ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ରବିବାର ପାରାଦୀପ ମାଛଧରା ବନ୍ଦର ପରିସରରେ ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଛି। ଏବେ ପାରାଦୀପ ମାଛଧରାବନ୍ଦର ପୋତାଶ୍ରୟ ମଧ୍ୟରେ ୬୩୫ ବୋଟ ସୁରକ୍ଷିତ ଅଛି ବୋଲି ମତ୍ସ୍ୟ ଅଧିକାରୀ ବିଜୟ କୁମାର କର ସୂଚନା ଦେଇଛନ୍ତି।
କାଲିଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବ। ଝଡ଼ ବର୍ଷା ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି ବେଗରେ ପବନ ବହିବ। ଆସନ୍ତା ୬ ଏବଂ ୮ ତାରିଖରେ ସାଂଘାତିକ ସ୍ଥିତି ହେବ ବୋଲି ପାଣିପାଗ ବିଭାଗ କହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତାକାଲି ଏବଂ ୮ ତାରିଖରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ବହିବ ୪୦ ରୁ ୫୦ କିମି ବେଗରେ ପବନ ବହିବ। ଏଥି ସହିତ ସମୁଦ୍ରରେ ସୁଉଚ୍ଚ ଲହଡ଼ି ଉଠିବା ଆଶଙ୍କା ରହିଛି। ଯେଉଁଥି ପାଇଁ ଏହି ଦୁଇଦିନ ପାଇଁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ ପାଣିପାଗ କେନ୍ଦ୍ରର ସତର୍କତା ପରେ ଏସଆରସି ମଧ୍ୟ ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। କାଳବୈଶାଖି ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଝଡବର୍ଷା ନେଇ ୮ ତାରିଖରେ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିକରାଯାଇଛି।
ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି |
— Meteorological Centre, Bhubaneswar (@mcbbsr) May 5, 2024
