ଗରଦପୁର ବ୍ଲକ୍ ଆଦର୍ଶ ପୋଖରୀ ଶୁଖିଲା ପଡିଛି 

ଗରଦପୁର, ୦୪/୦୫/୨୦୨୪ (ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଥିବା ଆଦର୍ଶ ପୋଖରୀ ଶୁଖିଲା ପଡିଛି । ସୂଚନାଯୋଗ୍ୟ ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଥିବା ଏହି ଆଦର୍ଶ ପୋଖରୀ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଚାରିକଡରେ ପକ୍କା ପାହାଚ ନିର୍ମାଣ କରାଯାଇଛି । ପୋଖରୀ ଭିତରକୁ ଯିବା ପାଇ କରାଯାଇଥିବା ପାହାଚ କଡରେ ଷ୍ଟିଲ୍ ରେଲିଙ୍ଗ୍ କରାଯାଇଛି, ଯାହାକୁ ଧରି ଲୋକମାନେ ପୋଖରୀ ଭିତରକୁ ଯାଇପାରିବେ । ବସିବା ପାଇଁ ସିମେଂଟ ବେଂଚ ପଡିଥିବାବେଳେ ସୌନ୍ଦର୍ଯ୍ୟକରଣ ନିମନ୍ତେ ସିମେଂଟରେ ଛତା ତିଆରି ଯାଇଛି ଓ ପୋଖରୀ କଡରେ ପାଦ ଚଲା ରାସ୍ତା କରାଯାଇଛି ।  ପୋଖରୀ ଚତୁର୍ଦ୍ଧିଗରେ ଆଲୋକୀକରଣ କରାଯାଇଥିବାବେଳେ ଆଇ ଲଭ୍ ଗରଦପୁରର ଲାଇଟ୍ ବୋର୍ଡ ମଧ୍ୟ  ରହିଛି, ଯାହାକୁ ସେଲ୍ଫି ପଏନ୍ଟ ଭାବେ ବ୍ୟବହାର କରାଯିବ  । ପାହାଚରେ ରଙ୍ଗ ଦିଆଯିବା ସହିତ ପୋଖରୀ କୂଳ ନିକଟ ପାଚେରୀରେ ବିଭିନ୍ନ ଚିତ୍ର ଅଙ୍କା ଯାଇ ପୋଖରୀର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରାଯିବାକୁ ଉଦ୍ୟମ କରାଯାଇଛି । ହେଲେ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଚତୁର୍ଦ୍ଧିଗ ପାହାଚରେ ଘାସ, ଲତା ମାଡି ଯାଇ ଜଙ୍ଗଲ ହୋଇଗଲାଣି । କେଉଁଠି ଲାଇଟ୍ ଜଳୁନାହିଁ ତ କେଉଁଠି ରଙ୍ଗ ଛାଡିଗଲାଣି ଆଉ  କେଉଁଠି ସିମେଂଟ କଂକ୍ରିଟ୍ ଓ ଟାଇଲ ଭାଙ୍ଗିଗଲାଣି । ପାଣି ରହୁଥିବା ସ୍ଥାନକୁ ଗାଁ ଗହଳିରେ ପୋଖରୀ ବା ଗଡିଆ ବୋଲି କହିଥାନ୍ତି । ଏଗୁଡିକର ରକ୍ଷଣାବେକ୍ଷଣ କରାନଗଲେ ସେଥିରେ ଦଳ ଭର୍ତି ହୋଇ ସାପ, ବେଙ୍ଗଙ୍କର କ୍ରୀଡାସ୍ଥଳୀ ହୋଇଥାଏ । ପଂଚାୟତରେ ଥିବା ବିଭିନ୍ନ ଆଦର୍ଶ ପୋଖରୀ ଗୋଟିଏ ବର୍ଷ ପାଇଁ ଚିକ୍ ମିକ୍ ହୋଇ ରହିବା ପରେ ବର୍ତମାନ ଦଳ ଭର୍ତି ହୋଇ ତାହାର ରକ୍ଷଣାବେକ୍ଷଣ ହୋଇପାରୁନାହିଁ । ତେବେ ବ୍ଲକ୍ ଭିତରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପୋଖରୀର ସୌନ୍ଦର୍ଯ୍ୟକରଣ କରାଯାଇଥିବାବେଳେ ପୋଖରୀରେ ପାଣି ନରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ବ୍ଲକ୍ ଭିତର ପୋଖରୀର ଯଦି ଏପରି ଅବସ୍ଥା ତେବେ ବିଭିନ୍ନ ପଂଚାୟତରେ ନିର୍ମାଣ କରାଯାଇଥିବା ଆଦର୍ଶ ପୋଖରୀର କିପରି ରକ୍ଷଣାବେକ୍ଷଣ କରାଯାଉଥିବ ତାହା ସହଜରେ ଅନୁମେୟ । ତେଣୁ ସରକାର ଲୋକମାନଙ୍କ ଆମୋଦପ୍ରମୋଦ, ମନୋରଂଜନ ପାଇଁ ନିର୍ମାଣ କରିଥିବା ପାର୍କ ଏବଂ ଆଦର୍ଶ ପୋଖରୀର ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ ଭାବେ ଯୋଜନା ପ୍ରସ୍ତୁତ କରିବାକୁ ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *