ବତୀଘର ପରି ଭୋଟଦାନ ଜାଗରଣର ପ୍ରଦୀପ ଉଜ୍ଜ୍ୱଳି ଉଠୁ ପ୍ରତିଟି ହୃଦୟରେ
ଶତ ପ୍ରତିଶତ ଭୋଟଦାନ କରି ଗଣତାନ୍ତ୍ରିକ ଅଧିକାରରୁ ସୁନିଶ୍ଚିତ କରିବାକୁ ଆହ୍ୱାନ
କେନ୍ଦ୍ରାପଡ଼ା, ୨୩/୦୪/୨୦୨୪ (ଓଡ଼ିଶା ସମାଚାର)- କୁହାଯାଏ ବୁଲେଟ୍ ଠାରୁ ବାଲଟ୍ ଅଧିକ ଶକ୍ତିଶାଳୀ । ତେଣୁ ଭାରତୀୟ ଗଣତନ୍ତ୍ରର ଏକ ସୁସ୍ଥ ଓ ସମୃଦ୍ଧ ପରମ୍ପରା ଗଠନ ସହ ନିର୍ବାଚନର ଏହି ମହାପର୍ବରେ ସାମିଲ ହୋଇ ଶତପ୍ରତିଶତ ଭୋଟଦାନ କରିବାକୁ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ଜିଲା ନିର୍ବାଚନ ଅଧିକାରୀ ଏବଂ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଆଜି ମହାକାଳପଡ଼ା ଗସ୍ତ କରି ସେ କହିଛନ୍ତି ନଦୀର ଜଳ ପରି ଭୋଟଦାନ ସଚେତନାର ବାର୍ତା ବହିଯାଉ ପ୍ରାଣକୁ ପ୍ରାଣକୁ ।
ବତୀଘର ପରି ଭୋଟଦାନ ଜାଗରଣର ପ୍ରଦୀପ କେନ୍ଦ୍ରାପଡ଼ା ଜିଲାର ପ୍ରତିଟି ହୃଦୟରେ ଜଳି ଉଠୁ ଓ ଅଜ୍ଞତାର ଅନ୍ଧକାରକୁ ଦୂରୀଭୂତ କରି ଭୋଟ୍ ଦାନ ଅଧିକାରକୁ ସୁନିଶ୍ଚିତ କରନ୍ତୁ ଆମ ଜିଲାବାସୀ । ସ୍ୱିପ୍ (ସିଷ୍ଟମେଟିକ୍ ଭୋର୍ଟସ ଇଜୁକେସନ ଆଣ୍ଡ ଇଲେକ୍ଟୋରାଲ୍ ପାର୍ଟିସିପେସନ୍) କାର୍ଯ୍ୟକ୍ରମରେ ବତୀଘର, ରାମନଗର ଆଦି ଅଂଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଖରନାସୀ ଘାଟ ଓ ବାହାକୁଦ ଘାଟକୁ ଡଙ୍ଗାରେ ଅତିକ୍ରମ କରି ଘରଘର ବୁଲି ସଚେତନାର ବାର୍ତା ବାଂଟିଥିଲେ ଜିଲା ନିର୍ବାଚନ ଅଧିକାରୀ । ଏହି ଅଂଚଳର ଅଧିକାଂଶ ଲୋକ ସାଧାରଣତଃ ପାରାଦ୍ୱୀପକୁ ରୋଜଗାର ଉଦ୍ଧେଶ୍ୟରେ ପ୍ରତିଦିନ ଯାଇଥାନ୍ତି ।
ମାତ୍ର ଜୁନ୍ ୧ ତାରିଖରେ କାର୍ଯ୍ୟରୁ ବିରତ ରହି ଭୋଟଦାନ ଅଧିକାରକୁ ସୁନିଶ୍ଚିତ କରିବାକୁ ଜିଲା ନିର୍ବାଚନ ଅଧିକାରୀ ଆହ୍ୱାନ ରଖିଥିଲେ । ବୁଥ୍ ସ୍ତରରେ ଲୋକଙ୍କୁ ସଚେତନ କରାଇବାକୁ ନିର୍ଦ୍ଧେଶ ମଧ୍ୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ତଥା ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଉପଜିଲାପାଳ ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର୍ ଅଶୋକ କୁମାର ଦାସ, ସ୍ଥାନୀୟ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବିଡିଓ ସାଗର କୁମାର ନନ୍ଦ, ଡେପୁଟି କଲେକଟର ପଲ୍ଲବୀ ପାତ୍ର, ବ୍ଲକ୍ ଓ ତହସିଲ୍ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।