ବିଜେପିରେ ଯୋଗଦେଲେ କେନ୍ଦ୍ରାପଡା ଜିଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ

କେନ୍ଦ୍ରାପଡା, ୨୨/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ ବୋଲି ଶୁଣା ଯାଉଛି । ଭାରତୀୟ ଜନତା ପାର୍ଟିରୁ ରାଜନୀତି ଆରମ୍ଭ କରିଥିବା ଶ୍ରୀମତୀ ସେଠୀ ବିଜେପି – ବିଜେଡି ମେଂଟସମୟରେ ଗତ ୨୦୦୨ମସିହାରେ ବିଜେପିରୁ କେନ୍ଦ୍ରାପଡା ଜିଲା ପରିଷଦର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତୀ ସମୟରେ ଶ୍ରୀମତୀ ସେଠୀ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେପି ଦଳରୁ ପ୍ରାର୍ଥୀ ହେବାକୁ ଦାବିଦାର ଥାଇ ବିଫଳ ହୋଇଥିଲେ । ଏହାପରେ ଶ୍ରୀମତୀ ସେଠୀ ବିଜେପି ରାଜନୀତିରୁ ଦୂରେଇ ଯାଇ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଗତ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଡେରାବିଶ ବ୍ଲକରୁ ବିଜେଡି ଟିକେଟରେ ଜିଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀମତୀ ସେଠୀଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇ କେନ୍ଦ୍ରାପଡା ଜିଲା ପରିଷଦ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ବିଜେଡି ଟିକଟରେ ପ୍ରାର୍ଥୀ ହେବାକୁ ସେ ଜୋରଦାର ଲବି କରି ବିଫଳ ହୋଇଥିଲେ । ମାତ୍ର ଦୁଇଦିନ ପୂର୍ବରୁ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ବିଜେଡି କଂଗ୍ରେସରୁ ଯାଇ ବିଜେଡିରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନାମ ଘୋଷଣା କରିଥିଲା । ପ୍ରାର୍ଥୀ ଘୋଷଣାର ଗୋଟିଏ ଦିନ ପରେ ଅନ୍ୟତମ ବିଜୁ ଜନତା ଦଳର ଆଶାୟୀ ପ୍ରାର୍ଥୀ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗଦେଇଥିଲେ । ଶ୍ରୀମତୀ ମଲିକଙ୍କ ନାମ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।  ବିଜେପି କେନ୍ଦ୍ରାପଡା ବିଧାନସଭା ପାଇଁ ପ୍ରାର୍ଥୀ ଖୋଜୁଥିବା ବେଳେ କେନ୍ଦ୍ରାପଡା ଜିଲା ପରିଷଦ ସଭାପତି ଶ୍ରୀମତୀ ସେଠୀ ଆଜି ବିଜେଡିରୁ ଇସ୍ତଫା ଦେବାର ଦୁଇଘଂଟା ପରେ ବିଜେପିରେ ଯୋଗ ଦେଇଛନ୍ତିି । ବିଜେପି ପକ୍ଷରୁ କେନ୍ଦ୍ରାପଡା ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିନଥିବାରୁ ଶ୍ରୀମତୀ ସେଠୀଙ୍କ ନାମ ଏହି ଆସନ ପାଇଁ ଘୋଷଣା କରାଯାଇପାରେ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *