୪୭ କେଜି ୪୭୦ ଗ୍ରାମ ଗଞ୍ଜେଇ ବାଇକ, କାର ଜବତ: ୫ ଲକ୍ଷ ଟଙ୍କାରୁ ଅଧିକ ହେବ – – କନ୍ଧମାଳରୁ ପୁରୀକୁ ଚେର ଲମ୍ବିଛି
ନିରାକାରପୁର, ୨୨/୦୪/୨୦୨୪ (ଓଡ଼ିଶା ସମାଚାର)- ରବିବାର ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢ଼ାଉ କରି ଗାଡି ସହିତ ଲକ୍ଷାଧିକ ଟଙ୍କା ର ଗଞ୍ଜେଇ ଜବତ କରି ଥିବାବେଳେ ଗାଡ଼ିକୁ ପାଇଲଟିଂ କରି ପାସ କରୁଥିବା ଦୁଇ ଜଣ ବ୍ୟକ୍ତି ଙ୍କୁ ଅଟକ ରଖି ଆଜି କୋର୍ଟ ଚାଲାଣ କରିଛି। ଗତକାଲି ରାତି ୯ ଟା ରେ ଏକ ଡଷ୍ଟର ଗାଡ଼ି ( ଓଡି ୩୩ ଜେ ୦୯୪୫) ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ନିରାକାରପୁର ପୋଲିସ ଖବର ପାଇ ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ନିର୍ଦ୍ଦେଶରେ ଏସ ଆଇ ଦିପାଲୀସା ନାୟକ, ଏ ଏସ ଆଇ ତପନ କୁମାର ପ୍ରଧାନ ଓ ସଦଳବଳେ ଲେଣ୍ଡୁ ଛକ ନିକଟରେ ଅଟକାଇ ଗାଡ଼ିକୁ ଜବତ୍ କରିବା ସହିତ ପୁରୀ ଜିଲ୍ଲା କଣାସ ବ୍ଲକ ଭାଟପଡ଼ା ଗ୍ରାମର ଭରତ ପ୍ରଧାନ ଓ ରାଜେଶ ବରାଳ ଦୁଇଜଣଙ୍କୁ ଗାଡି ପାସ କରୁଥିବା ଅଭିଯୋଗରେ ଗିରଫ କରିଥିଲା। ଗାଡିରୁ ୩ ଟି ବଡ ବଡ ବ୍ୟାଗ ଭର୍ତି ଗଞ୍ଜେଇ ଜବତ ହୋଇଥିଲା। ଆଜି ମାଜିଷ୍ଟ୍ରେଟ ଦାୟିତ୍ୱରେ ଟାଙ୍ଗୀ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତି ରେ ଗଞ୍ଜେଇ ଓଜନ କରାଯାଇଥିଲା। ସମୁଦାୟ ୪ କିଲୋ ୪୭୦ ଗ୍ରାମ ହୋଇଥିବାବେଳେ ଏହାର ମୂଲ୍ୟ ପ୍ରାୟେ ୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଜବତ କାର ଟି କନ୍ଧମାଳର ବୋଲି ଜଣାପଡ଼ିଥିବା ବେଳେ କନ୍ଧମାଳରୁ ପୁରୀ କୁ ଏହି ଗଞ୍ଜେଇ ଚାଲାଣ ଚେର ଲମ୍ବିଛି ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାରେ ପୋଲିସ ଏକ କେଟିଏମ୍ ବାଇକ ନଂ ଓଡି ୩୩ ଏ ବି ୬୫୭୯ କୁ ଜବତ କରାଯାଇ ଥିବା ସହିତ ଉକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।