କଟକ ସଦର , ୨୧/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ପୂର୍ବତନ ରାଜ୍ୟ ସଂପାଦକ ତଥା କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ଇତିମଧ୍ୟରେ ସବୁ ପଦପଦବୀ ସହିତ ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ବିଜେଡ଼ି ର ଜଣାଶୁଣା ଯୁବ ନେତା ତଥା ରାଜ୍ୟ ଯୁବ ବିଜେଡ଼ିର ପୂର୍ବତନ ଉପସଭାପତି ସତ୍ୟ ଜେନା ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଥିଲେ। ହେଲେ ସେବେ ଠାରୁ ବିଜେପି ତାଙ୍କୁ କୋଣଠେସା କରିଥିଲା ନାଁ ସିଏ ନିଜ ତରଫରୁ କୋଣଠେସା ହୋଇଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ଉଙ୍କି ମାରୁଥିଲା। ହେଲେ ଏଵେ ସେହି ସାଧାରଣ ନିର୍ବାଚନ ସମୟରେ ସତ୍ୟ ଙ୍କର ବିଜେଡ଼ି କୁ ଘର ବାହୁଡ଼ା ହେବା ସମ୍ଭାବନା ଅଧିକ ରହିଛି ବୋଲି ଶୁଣାଯାଉଛି। ଏଥିପାଇଁ ତାଙ୍କର ଅନ୍ତରଙ୍ଗ ବନ୍ଧୁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, କଟକ ଜିଲ୍ଲା ବିଜେଡ଼ି ସଭାପତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ମଧ୍ୟରେ ବୁଝାମଣା ହୋଇଥିବା ଜଣାପଡିଛି। ଦଳକୁ ଫେରିବା ପରେ ସତ୍ୟଙ୍କୁ ବିଜେଡ଼ି ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ଥଇଥାନ କରିବ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି।ସତ୍ୟ ବିଜେଡ଼ି କୁ ଫେରିବା ନେଇ ଗତ ୯ ତାରିଖ ରେ ‘ ଓଡ଼ିଶା ସମାଚାର ‘ ରେ ବିସ୍ତୃତ ଖଵର ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ସତ୍ୟ ବିଜେଡ଼ି କୁ ଫେରିବା ଖଵର ଜଣାପଡିବା ପରେ ସତ୍ୟ ଗୋଷ୍ଠୀ ଉତ୍ସାହିତ ହୋଇଥିବା ବେଳେ ସଦର ର କେତେକ ତଥାକଥିତ ଆତ୍ମଘୋଷିତ ବିଜେଡ଼ି ନେତା ନିରୁତ୍ସାହିତ ଥିବା ଜଣାପଡିଛି। ତେବେ ଯଥାଶୀଘ୍ର ଶଂଖ ଭବନରେ ସତ୍ୟ ବିଜେଡ଼ି ରେ ସାମିଲ ହେବାକୁ ଯାଉଥିବା ତାଙ୍କ ନିକଟତମ ମହଲରୁ ଜଣାଯାଇଛି।