ମାହାଙ୍ଗାରେ କଳିଙ୍ଗ ଭାରତୀ ଫାଉଣ୍ଡେସନର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ

ମାହାଙ୍ଗା, ୧୪/୦୪/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସିଦ୍ଧିକ୍ଷେତ୍ର ଉମର ହନୁମାନଜୀୟୁ ମନ୍ଦିର ନିକଟରେ ଏକ ଭବ୍ୟ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା କଳିଙ୍ଗଭାରତୀ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇଂ ଅକ୍ଷୟ କୁମାର ସାମଲଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ ତଥା ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କଳିଙ୍ଗ ଭାରତୀ ଫାଉଣ୍ଡେସନର ଉପଦେଷ୍ଟା ରବୀନ୍ଦ୍ର ନାଥ ମହାନ୍ତି, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର ନାଥ ସାମଲ, ପୂର୍ବତନ ଆୟକର ଉପାଧ୍ୟକ୍ଷ ପ୍ରମୋଦ କୁମାର ସିଂହ,ନବୋଦୟ ବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଫକୀର ଚରଣ ନାୟକ,କବି ପ୍ରଫୁଲ୍ଲ କୁମାର ସିଂହ, ବରିଷ୍ଠ ଆଇନଜୀବି ଜିତେନ୍ଦ୍ର ନାଥ ସ୍ୱାଇଁ, କଳିଙ୍ଗଭାରତୀ ମୁଖ୍ୟ ସଂଯୋଜକ ନଗେନ୍ଦ୍ର କୁମାର ସାହୁ, ମନୋରମା ମହାପାତ୍ର,ସୁସ୍ମିତା ସାମଲ,ସଞ୍ଜୟ କୁମାର ସାମଲ,ତ୍ରିଲୋଚନ ଦାସ, ବଟକୃଷ୍ଣ ଦାସ, ସତ୍ୟନାରାୟଣ ସିଂହ, ବିଚିତ୍ରାନନ୍ଦ ମହାରଣା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ଇଞ୍ଜିନିଅର ଅକ୍ଷୟ କୁମାର ସାମଲ ନିର୍ବାଚନ ଲଢ଼ିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିବା ବେଳେ, ଇଂ ସାମଲ ଏବେ ନିର୍ବାଚନ ନଲଢ଼ି ସାମାଜିକ କାର୍ୟ୍ୟକ୍ରମକୁ ବ୍ୟାପକ କରିବା ସହିତ ମାହାଙ୍ଗା ଅଂଚଳର ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ମାହାଙ୍ଗାର କଳା,ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରିବାକୁ ସେ ଆହ୍ୱାନ ଦେଇଥିଲେ । ମାହାଙ୍ଗାରେ ବ୍ୟାପକ ବୃକ୍ଷ ରୋପଣ କରି ସବୁଜ ବଳୟ ସୃଷ୍ଟି କରିବାକୁ ଯୁବକ ମାନେ ଆଗେଇ ଆସନ୍ତୁ ବୋଲି ସେ କହିଥିଲେ । ତେବେ ଆସନ୍ତା ଦିନରେ ଆବଶ୍ୟକ ପଡିଲେ ପ୍ରତ୍ୟେକ୍ଷ ରାଜନୀତିରେ ସାମିଲ ହୋଇ, ଏକ ବିକଶିତ ଓ ଭାଇଚାରାର ମାହାଙ୍ଗା ଗଢିବାକୁ ଗୁରୁଜନ ମାନଙ୍କ ଆଶୀର୍ବାଦ ଲୋଡ଼ିଥିଲେ ।
କଳିଙ୍ଗ ଭାରତୀ ଫାଉଣ୍ଡେସନ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ସେବା ମୂଳକ କାର୍ୟ୍ୟକ୍ରମ ଜାରିରଖିଛି ଏବଂ ବହୁ ଦୁରାରୋଗ୍ୟରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ସହିତ, ରକ୍ତଦାନ ଶିବିର ଆୟୋଜନ କରୁଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରୁଥିବା ଏହି ଅନୁଷ୍ଠାନ ଦେଶର ପ୍ରଥିତଯଶା ମହା ପୁରୁଷ ମାନଙ୍କ କୀର୍ତ୍ତି ଓ କୃତୀ ଉପରେ ଅନେକ ଆଲୋଚନା ଚକ୍ର ଆୟୋଜନ କରିଛି । ଇଞ୍ଜିନିଅର ଅକ୍ଷୟ ସାମଲ ମାହାଙ୍ଗା ପାଇଁ ଅନେକ ନୂଆ କଥା ଚିନ୍ତା କରିବା ସହିତ, ଶିକ୍ଷିତ ଯୁବକ ମାନଙ୍କୁ ବିଭିନ୍ନ ପ୍ରଯୁକ୍ତି କ୍ଷେତ୍ରରେ କିପରି ନିଯୁକ୍ତି ଦିଆଯାଇପାରିବ, ସେ ଦିଗରେ କାର୍ୟ୍ୟ ଆରମ୍ଭ କରିଛନ୍ତି । ଏହି ବଂଧୁ ମିଳନ ଉତ୍ସବରେ ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାର ଅସ୍ମିତାକୁ ନେଇ ବକ୍ତାମାନେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *