ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ଡଃ ବି ଆର ଆମ୍ବେଦକର ଜୟନ୍ତୀ ପାଳିତ

ଜଗତସିଂହପୁର,୧୪/୦୪/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ଠାରେ ସମ୍ବିଧାନ ପ୍ରଣେତା, ଭାରତରତ୍ନ ଡ଼ଃ ବି.ଆର.ଆମ୍ବେଦକର ଙ୍କର ୧୩୩ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସଦଭାବନା ସଭାଗୃହ ଠାରେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଭାରତୀୟ ସମ୍ବିଧାନ ର ପ୍ରଣେତା,ଦଳିତ ବିକାଶ ନିମନ୍ତେ ନିଜର ଅସୀମ ତ୍ୟାଗ ଓ ସଂଘର୍ଷ ଦ୍ଵାରା ପରିବର୍ତ୍ତନ ର ସ୍ଵର ଆଣିଥିବା ମହାନ୍ ଜନନାୟକ ,ଭାରତରତ୍ନ ଡଃ ବି ଆର ଆମ୍ବେଦକର ଙ୍କ ଉଦ୍ଦେଶ୍ୟ ରେ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ତାଙ୍କ ମହାନୀୟତା ର ଉଦାହରଣ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନ ରେ କର୍ମ ତତ୍ପର ହେବା ପାଇଁ ଉପଦେଶ ଦେଇଥିଲେ। ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବିଧାନ ପ୍ରଣୟନ ନିମନ୍ତେ ଡଃ ଆମ୍ବେଦକର ଙ୍କର ନିଷ୍ଠା ଓ ବଳିଷ୍ଠ ନେତୃତ୍ୱ ର ସ୍ମୃତି ଚାରଣ କରିଥିଲେ। ନିଜର ବ୍ୟକ୍ତିଗତ ଜୀବନର ତିକ୍ତ ଅନୁଭୂତି କୁ ପାଥେୟ କରି ସାମୁହିକ ପରିବର୍ତ୍ତନ ଆଣିବା ପାଇଁ ତାଙ୍କର ସଂଗ୍ରାମ କୁ ମନେପକାଇ ଦେଇଥିଲେ । ଜଗତସିଂହପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମାରାଣୀ ଜେନା ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ପୀଢୀ ର ସୂତ୍ରଧର ଭାବେ ସମ୍ବୋଧିତ କରି ଆମ୍ବେଦକର ଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ପ୍ରେରଣା ଦେଇଥିଲେ। ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପକେନ୍ଦ୍ର ଶ୍ରୀ ଜଗମୋହନ ପତି ଆମ୍ବେଦକର ଙ୍କ ଜୀବନର ତ୍ୟାଗ ଓ ଦଳିତ ବିକାଶୋନ୍ମୁଖୀ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ସଭା ର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଆମ୍ବେଦକର ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ସଭା କାର୍ୟ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ୟ୍ୟଳୟ ସମ୍ମୁଖସ୍ଥ ବି ଆର୍ ଆମ୍ବେଦକର ଓ ଅନ୍ୟ ମହାନ୍ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏହି ସଭାରେ ଜିଲ୍ଲା ସ୍ତରୀୟ ଅଧିକାରୀ,ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ର ଅଧିକାରୀ ଓ କର୍ମଚାରୀ,ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *