କଟକ,୧୮/୦୭/୨୦୨୫(ଓଡ଼ିଶା ସମାଚାର)-କଟକରେ ବନ୍ଧୁକ ଦେଖାଇ ଲୁଟ ଘଟଣାରେ ମାଲଗୋଦାମ ଥାନା ପୋଲିସ ୨ ଲୁଟେରା ଓ ଲୁଟ ସାମଗ୍ରୀ କିଣିଥିବା ଜଣେ ଅଭିଯୁକ୍ତ ସମେତ ୩ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଜିଲା ରଘୁନାଥପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଜିରା ଗ୍ରାମର ଚଣ୍ଡି ଓରଫ ରାଜା ଓରଫ ବିଶ୍ୱନାଥ ନାୟକ (୨୯), ଜଗତସିଂହପୁର ଜିଲା ପାରାଦ୍ୱୀପ ଲକ ଥାନା ଅନ୍ତର୍ଗତ ନିମିଧି ଗ୍ରାମର ଦିପୁ ଓରଫ ହୃଦାନନ୍ଦ ସିଂହ (୩୬) ଓ ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ କୋଠିଆ ସାହିର ଉମେଶ ଚନ୍ଦ୍ର ସାହୁ (୫୫) । ପୋଲିସ ସେମାନଙ୍କ ଠାରୁ ଗୋଟିଏ ମୋଟରସାଇକେଲ, ୫ଟି ସୁନା ଚେନ, ଗୋଟିଏ ବନ୍ଧୁକ, ୩ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ମୁତାବକ ଜଗତସିଂହପୁର ଜିଲା ଏରସମା ଅଂଚଳର ମୂଳ ବାସିନ୍ଦା ତଥା ଅଧୁନା ସ୍ଥାନୀୟ ରାଜେନ୍ଦ୍ରନଗରରେ ରହୁଥିବା ଦିଲୀପ କୁମାର ମଲିକ ମାଲଗୋଦାମ ଥାନାରେ ଏକ ଲିଖିତ ଏତଲା ରୁଜୁ କରିଥିଲେ । ଦିଲୀପ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ, ଗତ ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ଛତ୍ରବଜାର ଅର୍ବାନ ହାଟରୁ ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ ୨ ଜଣ ଦୁର୍ବୃତ ପଛରୁ ଏକ ବଜାଜ ପଲସର ମୋଟର ସାଇକେଲରେ ଆସି ତାଙ୍କ ସ୍ତ୍ରୀଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇଥିଲେ । ଦିଲୀପ ଦୁର୍ବୃତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଜଣେ ଦୁର୍ବୃତ ତାଙ୍କ ସ୍ତ୍ରୀଙ୍କୁ ସ୍କୁଟିରୁ ଟାଣି ଆଣିଥିଲେ । ଫଳରେ ତାଙ୍କ ସ୍ତ୍ରୀ ତଳେ ପଡ଼ି ଆହତ ହୋଇଥିଲେ । ଏହା ପରେ ଅନ୍ୟ ଜଣେ ଦୁର୍ବୃତ ସେମାନଙ୍କ ଆଡ଼କୁ ବନ୍ଧୁକ ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲା । ତେବେ କିଛି ସ୍ଥାନୀୟ ଲୋକେ ହସ୍ତକ୍ଷେପ କରି ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ ଓ ତାକୁ ପୋଲିସକୁ ହସ୍ତାନ୍ତର କରିଥିଲେ । ତା ଠାରୁ ଅନ୍ୟ ମାନଙ୍କ ସମ୍ପର୍କରେ ଜାଣି ସମସ୍ତଙ୍କୁ ଗିରଫ କରାଯାଇଛି ।
ମାଲଗୋଦାମ ଥାନା ପୋଲିସ ଏତଲାକୁ ଆଧାର କରି ଏକ ମାମଲା ରୁଜୁ କରି ଛାନଭିିନ ଆରମ୍ଭ କରିଥିଲା । ପୋଲିସ ଧରା ପଡ଼ିଥିବା ଗିରଫ ଅଭିଯୁକ୍ତକୁ ପଚରା ଉଚୁରା କରିବା ପରେ ମୁଖ୍ୟ ଅଭିଯୁକ୍ତ ରାଜା ଓରଫ ବିଶ୍ୱନାଥ ନାୟକକୁ ଧରିବାରେ ସଫଳ ହୋଇଥିଲା । ମୁଖ୍ୟ ଅଭିଯୁକ୍ତକୁ ପଚରା ଉଚୁରା କରିବା ପରେ ପୋଲିସ ଲୁଟ ସାମଗ୍ରୀ କିଣିବା ଅଭିଯୋଗରେ ଉମେଶ ସାହୁକୁ ଗିରଫ କରିଥିଲା । ପୋଲିସ ସେମାନଙ୍କ ଠାରୁ ୫ଟି ସୁନାଚେନ ଓ ୩ଟି ଗୁଳି ଜବତ କରିବାରେ ସଫଳ ହୋଇଥିଲା । ଗିରଫ ମୁଖ୍ୟ ଅଭିଯୁକ୍ତ ରାଜା ନାମରେ ପାରାଦ୍ୱୀପ ଲକ ଥାନା ଓ କଟକ ମଂଗଳାବାଗ ଥାନାରେ ପୂର୍ବରୁ ମୋଟ ୨୨ଟି ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଏହାଛଡ଼ା ଅନ୍ୟ ଅଭିଯୁକ୍ତ ଦିପୁ ନାମରେ ବିଭିନ୍ନ ଥାନାରେ ୪ଟି ଏବଂ ଅଭିଯୁକ୍ତ ଉମେଶ ନାଁରେ ୨ଟି ମାମଲା ଥିବା ଜଣା ପଡ଼ିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡ଼ିଛି ।
