କଂଗ୍ରେସ ପକ୍ଷରୁ ଓଡ଼ିଶାର ଆଉ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,  ୧୪//୦୪/୨୦୨୪ (ଓଡ଼ିଶା ସମାଚାର)-   କଂଗ୍ରେସ ପକ୍ଷରୁ ଓଡ଼ିଶାର ଆଉ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହାକୁ ମିଶାଇ ସମୁଦାୟ ୧୭ ଆସନରେ ଦଳ ଏହାର ପ୍ରାର୍ଥୀ ଘୋଷଣା କରିଛି। ଦ୍ବିତୀୟ ପର୍ଯ୍ୟାୟରେ ୮ଟି ଆସନରେ ପ୍ରାର୍ଥୀ ବଦଳିଛନ୍ତି। ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୨ଜଣ ମହିଳା ଥିବା ବେଳେ କଂଗ୍ରେସକୁ ଫେରିଥିବା ଶ୍ରୀକାନ୍ତ ଜେନା ପୁଣିଥରେ ଟିକେଟ ହାସଲ କରିବାରେ ସଫଳ ହୋଇଛନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସ ଭୁବନେଶ୍ବର ଲୋକସଭା ଆସନକୁ ସିପିଆଇ(ଏମ୍‌)କୁ ଛାଡ଼ି ଦେଇଥିଲା। ଏଠାରୁ ଜନାର୍ଦ୍ଦନ ପତି ନିର୍ବାଚନ ଲଢ଼ିଥିଲେ ହେଁ ବିଶେଷ ସଫଳତା ମିଳି ନ ଥିଲା। ମାତ୍ର ଏଥର ଭୁବନେଶ୍ବରକୁ ନିଜ ହାତରେ ରଖିଛି କଂଗ୍ରେସ। ନୂଆ ମୁହଁ ଭାବେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ ଦଳ ପ୍ରାର୍ଥୀ କରିଛି। ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ୟାସିରଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ ଲଗାତାର ଭାବେ ବିକ୍ଷୋଭ ଓ ଘେରାଉ କାର୍ଯ୍ୟକ୍ରମ କରି ଆସୁଛି। ଏହାସହ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ବହୁସଂଖ୍ୟାରେ ସଂଖ୍ୟାଲଘୁ ଭୋଟ୍‌ ରହିଥିବାରୁ ଏହାକୁ ନିଜ ଆଡ଼କୁ ଟାଣିବା ଲାଗି ଦଳ ଏଭଳି ରଣନୀତି ଆପଣାଇଥିବା କୁହାଯାଉଛି।

ନିକଟରେ କଂଗ୍ରେସକୁ ଫେରିଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ବାଲେଶ୍ବରରୁ ପ୍ରାର୍ଥୀ ହୋଇଛନ୍ତି। ପୁରୀରେ ସୁଚରିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନରେ ସେଠାରୁ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ନିର୍ବାଚନ ଲଢ଼ିଥିଲେ। ଏହାଭିତରେ ଶ୍ରୀ ନାୟକ କଂଗ୍ରେସ ଛାଡ଼ି ସାରିଛନ୍ତି। ଭଦ୍ରକରେ ଅନନ୍ତ ପ୍ରସାଦ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ଗତ ନିର୍ବାଚନରେ ଭଦ୍ରକରୁ ଶ୍ରୀ ସେଠୀଙ୍କ ଝିଅ ମଧୁମିତା ସେଠୀ ମଇଦାନକୁ ଓହ୍ଲାଇଥିଲେ। କେନ୍ଦ୍ରାପଡ଼ାରେ ସିଦ୍ଧାର୍ଥ ସ୍ବରୂପ ଦାସ, ଯାଜପୁରରେ ଅଞ୍ଚଳ ଦାସ ଓ ଢେଙ୍କାନାଳରେ ସସ୍ମିତା ବେହେରା ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ତେବେ ୨୦୦୯ ମସିହାରେ ଜଗତସିଂହପୁର ଆସନରେ ଦ୍ବିତୀୟ ସ୍ଥାନରେ ଥିବା ରବୀନ୍ଦ୍ର କୁମାର ସେଠୀଙ୍କୁ ଏଥର ପ୍ରାର୍ଥୀ କରାଯାଇଛି। କେନ୍ଦୁଝରରେ ମୋହନ ହେମ୍ବ୍ରମ୍ ଗତଥର ନିର୍ବାଚନ ଲଢ଼ିଥିବା ବେଳେ ଏଥର ମଧ୍ୟ ଦଳ ତାଙ୍କ ଉପରେ ଭରସା କରିଛି। ଅପରପକ୍ଷରେ କଂଗ୍ରେସ ପକ୍ଷରୁ କୌଣସି ବିଧାନସଭା ପ୍ରାର୍ଥୀ ଘୋଷଣା ହୋଇନାହିଁ। ଏ ପର୍ଯ୍ୟନ୍ତ ଦଳ ପକ୍ଷରୁ ୪୭ଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଆହୁରି ୧୦୦ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି। ପୂର୍ବରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୮ଟି ଲୋକସଭା ଓ ୪୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ।

Leave a Reply

Your email address will not be published. Required fields are marked *