ସୁଧ ଟଙ୍କା ଆଦାୟକୁ ନେଇ ପଦ୍ମକେଶରୀପୁର ଗାଁ ରେ ବୋମାମାଡ ଅଭିଯୋଗ

ଶ୍ବଶୁର ଓ ବୋହୂ ଗୁରୁତର

ଭୁବନେଶ୍ୱର,୧୧/୪/୨୦୨୪ (ଓଡ଼ିଶା ସମାଚାର)- ପୁଣି ଅଶାନ୍ତ ହୋଇପଡିଛି ରାଜଧାନୀ ସ୍ଥିତ ପଦ୍ମକେଶରୀପୁର ଗାଁ। ଗୋଟିଏ ପରିବାରର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ ପରେ ଗାଁ ହୋଇପଡିଛି ଅଶାନ୍ତ । ଗ୍ରାମର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡ ସହ ବୋମା ଓ ପଥରମାଡ ହୋଇଥିବା ଅଭିଯୋଗ ହୋଇଛି । ଗାଁରେ ଏବେ ୨ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ସୁଧ ଟଙ୍କା ଆଦାୟକୁ ନେଇ ଏଭଳି ଗାଁ ଅଶାନ୍ତ ହୋଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ପଦ୍ମକେଶରୀପୁର ଗାଁର ସନାତନ ଦାସ ମହାଜନ କାରବାର କରୁଥିବା ବାବୁଲା ଦାସଙ୍କ ନିକଟରୁ ସୁଧ ଆକାରରେ ଟଙ୍କା ଆଣିଥିଲେ। ଟଙ୍କା ଫେରାଇବାରେ ବିଳମ୍ବ ନେଇ ବାବୁଲା ସନାତନଙ୍କ ଉପରେ କ୍ଷୁବ୍ଧ ଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବାବୁଲା ଦାସ ତାଙ୍କ ସହଯୋଗୀ ତାପସ ଦାସ ଓ ୪ରୁ ୫ ଜଣ ଯୁବକ ସନାତନଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ସନାତନ ଓ ତାଙ୍କ ବୋହୂ ଘରେ ଖାଉଥିଲେ। ସନାତନଙ୍କୁ ବାବୁଲା ସୁଧ ଟଙ୍କା ମାଗିଥିଲେ। ଏହାକୁ ନେଇ ସନାତନ ଓ ବାବୁଲାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ବାବୁଲା ଓ ତାଙ୍କର ସହଯୋଗ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ସମୟରେ ସନାତନଙ୍କ ବୋହୂ ପହଞ୍ଚି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପରେ ବାବୁଲା ତାଙ୍କ ସହଯୋଗୀ ବୋମାମାଡ଼ କରି ପଳାଇଥିଲେ।

ଏହାପରେ ଗ୍ରାମବାସୀ ସନାତନ ଏବଂ ତାଙ୍କ ବୋହୂ ନିରୁପମାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଗୁରୁତର ଅବସ୍ଥାରେ ଉଭୟ ଶ୍ବଶୁର ଓ ବୋହୂଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏଥି ସହିତ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଯେପରି ଆଗକୁ ବିଶୃଙ୍ଖଳା ପରିସ୍ଥିତି ନ ଘଟେ ସେଥିପାଇଁ  ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ ଗତ ଅକ୍ଟୋବର ମାସରେ ପଦ୍ମକେଶରପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷ ପରସ୍ପରକୁ ବୋତଲ, ଢେଲା ପଥର ସହ ବୋମା ମାଡରେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ। ପୁଲିସ ଏହି ଘଟଣାପରେ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିବା ସହ ଶତାଧିକ ଲୋକଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *