୫୨ ଲକ୍ଷ ଟଙ୍କା ହଡ଼ପ: କଟକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ କର୍ମଚାରୀ ଗିରଫ

କଟକ,୧୫/୦୫/୨୦୨୬ (ଓଡ଼ିଶା ସମାଚାର)-ଜାଲ ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୫୨ଲକ୍ଷ ଟଙ୍କା ହଡ଼ପ ମାମଲାରେ କଟକ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ (ଡିଇଓ)ର ତତ୍କାଳୀନ ଜନୈକ କର୍ମଚାରୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ।

ଗିରଫ ଅଭିଯୁକ୍ତ ଅଧୁନା ବାରଙ୍ଗ ନରାଜ ସିଦ୍ଧେଶ୍ୱର ବିଦ୍ୟାମନ୍ଦିରର ସୁବାଷ ଚନ୍ଦ୍ର ସାହୁ । ଭିଜିଲାନ୍ସ ନିର୍ଦେଶାଳୟ ପ୍ରଦତ ସୂଚନା ଅନୁସାରେ, ବିଭାଗର ଏଚଆରଏମଏସ୍ (ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଂଟ ସିଷ୍ଟମ୍) ପୋର୍ଟାଲ୍ ରେ ହେରଫେର କରି କେତେକଅଣକର୍ମଚାରୀଙ୍କୁ କର୍ମଚାରୀ ଭାବେ ଯୋଡ଼ି ସେମାନଙ୍କୁ ଦରମା ପ୍ରଦାନ କରାଯାଇଥିଲା । ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତରେ, ୩୧ ଡିସେମ୍ବର ୨୦୧୮ରୁ ୧୬ ଅକ୍ଟୋବର ୨୦୨୧ ମଧ୍ୟରେ କର୍ମଚାରୀଙ୍କୁ ଦିଆଯାଇଥିବା ଦରମା ଆଦିରେ ହେରଫେର ହୋଇଥିବା ଜଣାପଡ଼ିଥିଲା । ବାରଙ୍ଗ ନାରାଜ ସିଦ୍ଧେଶ୍ୱର ବିଦ୍ୟାମନ୍ଦିରର ସୁବାସ ଚନ୍ଦ୍ର ସାହୁ କଟକ ଡିଇଓରେ କାର୍ଯ୍ୟ କରିବା ବେଳେ ହିସାବ ବିଭାଗ ସହ ଜଡ଼ିତ ଥିଲେ ଏବଂ ଏଚଆରଏମଏସ୍ ଓ ଆଇଏଫଏମଏସ୍ (ଇଂଟିଗ୍ରେଟେଡ୍ ଫାଇନାନ୍ସ ମ୍ୟାନେଜମେଂଟ ସିଷ୍ଟମ୍) ସମ୍ଭାଳୁଥିଲେ ।

ଏହି ସମୟରେ ଡିଡିଓ (ଡ୍ରଇଂ ଆଣ୍ଡ୍ ଡିସବର୍ସିଂ ଅଧିକାରୀ)ଙ୍କ ଆକାଉଂଟକୁ ଅନଧିକାର ପ୍ରବେଶ କରି ୪ଜଣ ଅଣ କର୍ମଚାରୀଙ୍କ ନାମକୁ କର୍ମଚାରୀ ଭାବେ ଯୋଡ଼ିଥିଲେ । ସେମାନଙ୍କ ବ୍ୟାଙ୍କ୍ ଖାତାକୁ ଦରମା ଆଦି ଟଙ୍କା ନିୟମିତ ଭାବେ ଯାଉଥିଲା ଓ ଯେଉଁଦିନ ଟଙ୍କା ଜମା ହେଉଥିଲା ସେହିଦିନ ହିଁ ସେହି ଟଙ୍କା ଉଠାଇ ନିଜ ଖାତାରେ ଭର୍ତି କରୁଥିଲେ । ଏହି ଘଟଣାରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତନାଘନା କରାଯାଇ ସମସ୍ତ ପ୍ରମାଣ ଯୋଗାଡ଼ କରାଯିବା ପରେ ଦୁର୍ନୀତି ନିବାରଣ ଆଇନର ଧାରାରେ ଏକ ମାମଲା ରୁଜୁ କରି ଗୁରୁବାର ଅଭିଯୁକ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *