ଇଭିଏମ୍ ଓ ଭିଭିପାଟ୍ ର ପ୍ରଥମ ପର୍ଯ୍ୟାୟ ରାଣ୍ଡମାଇଜେସନ୍

କେନ୍ଦ୍ରାପଡ଼ା, ୦୯/୦୪/୨୦୨୪ (ଓଡ଼ିଶା ସମାଚାର)- ଭାରତର ନିର୍ବାଚନ କମିଶନ୍ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଧେଶକ୍ରମେ ଇଭିଏମ୍୍ ଓ ଭିଭିପାଟ୍ ର ପ୍ରଥମ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏବଂ ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ କପାଳେଶ୍ୱର ଗ୍ରାମପଂଚାୟତର ଗରାପୁର ମୌଜାସ୍ଥିତ ୱେୟାର୍ ହାଉସ୍ ଠାରେ ସମ୍ପାଦନ ହେଉଛି । ପ୍ରତିଟି ଇଭିଏମ୍ ଓ ଭିଭିପାଟ୍ ର କ୍ରମିକ ନମ୍ବରକୁ ର୍ୟାଣ୍ଡମ୍ ଲି ଏକ ନିର୍ଦ୍ଧିଷ୍ଟ ନିର୍ବାଚନ ମଣ୍ଡଳୀ ସହ ଅନଲାଇନ୍ ମାଧ୍ୟମରେ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ସଂଯୋଗ କରାଯାଉଛି । ଏହି ରାଣ୍ଡମାଇଜେସନ୍ ପରେ ସମସ୍ତ ଇଭିଏମ୍ ଏବଂ ଭିଭିପାଟ୍ କୁ ସଂପୃକ୍ତ ବିଧାନସଭା ଓ ଲୋକସଭାଖଣ୍ଡକୁ ପ୍ରଦାନ କରାଯିବ । ଯାହାକି ସଂପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ଦାୟିତ୍ୱରେ ରହିବ । ପୂର୍ବ ସ୍ଥିରୀକୃତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଷ୍ଟ୍ରଙ୍ଗରୁମ୍ ରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହାକୁ ରଖି ତାଲା ଦିଆଯିବ । ସ୍ୱଚ୍ଛ, ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ୨୪ ଘଂଟିଆ ସଶସ୍ତ୍ର ପୋଲିସ ବାହିନୀର କଡ଼ା ସୁରକ୍ଷାବଳୟ ଏବଂ ସିସିଟିଭି ସୁପରିଭିଜନ ମଧ୍ୟରେ ଏହି ମେସିନ୍ ରହିବ । ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଫୁଲ୍ଲ ଦାସ, ବିଜେଡି ପକ୍ଷରୁ ଧୀରେନ୍ କୁମାର ସାହୁ, ବିଜେପି ପକ୍ଷରୁ ଉପିନ୍ କୁମାର ରାଉତ ଓ ନିହାର ରଞ୍ଜନ ମହାନ୍ତି, ବହୁଜନସମାଜବାଦୀ ପାର୍ଟିର୍ ପକ୍ଷରୁ ସୁଧାକର ମଲ୍ଲିକ, ସିପିଆଇ(ଏମ୍) ପକ୍ଷରୁ ଗୟାଧର ଧଳ, ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ସୂର୍ଯ୍ୟକାନ୍ତ ପରିଡ଼ା ପ୍ରମୂଖ ଏହି ରାଣ୍ଡମାଇଜେସନ୍ ପ୍ରକ୍ରିୟାରେ ଉପସ୍ଥିତ ରହିଥିଲେ । ସେମାନେ ଜିଲା ପ୍ରଶାସନ ପକ୍ଷରୁ ରାଣ୍ଡମାଇଜେସନ୍ ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ନିଜ ନିଜର ଆତ୍ମ ସନ୍ତୋଷ ପ୍ରକଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତି ଜିଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ା ଜିଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଏଆରଓ, ଜିଲା ଇ-ଗଭର୍ଣ୍ଣାସ୍ ପରିଚାଳକ ଜ୍ଞାନ ରଞ୍ଜନ ସେଠୀ, ସମସ୍ତ ଡେପୁଟି କଲେକ୍ଟର୍, ସହକାରୀ ଜିଲାପାଳ, ଜିଲାସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *