ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ   ସଂପର୍କିତ ବୈଠକ

                     ନିର୍ବାଚନରେ ଭୋଟ ହାର ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଉ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର, ୦୮/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ନିର୍ବାଚନର ପର୍ବ ଦେଶର ଗର୍ବ ହୋଇଥିବାରୁ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ଭୋଟର ନିଜ ନିଜର ମତଦାନ କରି ଦେଶ ପାଇଁ ନିଜର କର୍ତ୍ତବ୍ୟ ନିର୍ବାହ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆହ୍ୱାନ ଜଣାଇଛନ୍ତି । ରାଜ୍ୟରେ ଭୋଟ ହାର ବୃଦ୍ଧି ପାଇଁ ନୂତନ କୌଶଳ ଅବଲମ୍ବନ କରି ଯୋଜନାବଦ୍ଧ ଭାବେ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ବ୍ୟବସ୍ଥିତ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ (ଏସ୍‌ଭିଇଇପି) ନୋଡାଲ ଅଧିକାରୀ ତଥା ସଂପୃକ୍ତ ସମସ୍ତ କର୍ମକର୍ତ୍ତାଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଅପ୍ରେଲ ୮ ତାରିଖ ସୋମବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷରେ ଆୟୋଜିତ ବିଭିନ୍ନ ଜିଲ୍ଲାର ଏସ୍‌ଭିଇଇପି ନୋଡାଲ ଅଫିସରଙ୍କ ସହିତ ବୈଠକରେ ଶ୍ରୀ ଧଳ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାତକୁ ନିଆଯାଇଥିବା ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

    ବିଶେଷତଃ ସହରାଞ୍ଚଳରେ ରହୁଥିବା ଭୋଟର, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଭଳି ବଡ଼ ବଡ଼ ସହରରେ ଥିବା ଭୋଟରମାନଙ୍କର ନିର୍ବାଚନରେ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ମାର୍ଗଦର୍ଶିକା ଅନୁଯାୟୀ ମତଦାନ ତାରିଖ ପୂର୍ବରୁ ବୁଥ୍‌ସ୍ତରରୁ ପ୍ରତି ଭୋଟରଙ୍କୁ ସେମାନଙ୍କର ମତଦାନ ତାରିଖ, ସ୍ଥାନ ସଂପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଭୋଟର ସୂଚନା ସ୍ଲିପ୍‌ ପ୍ରଦାନ ପ୍ରକି୍ରୟାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନରେ ଭୋଟରମାନଙ୍କ ବହୁଳ ଅଂଶଗ୍ରହଣ ସହିତ ନୈତିକ ଓ ବିବେକାନୁମୋଦିତ ମତଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

    ବିଶେଷ କରି ଯୁବଭୋଟର, ମହିଳା ଭୋଟର, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଭୋଟରମାନଙ୍କ ନିର୍ବାଚନରେ ଅଂଶଗ୍ରହଣ ପାଇଁ ନିଆ ଯାଇଥିବା ପଦକ୍ଷେପ, ମତଦାନ କେନ୍ଦ୍ରରେ ହୁଇଲ୍‌ ଚେୟାର ବ୍ୟବସ୍ଥା, ସେ୍ୱଚ୍ଛାସେବୀ ନିୟୋଜନ, ବୁଥ୍‌ମାନଙ୍କରେ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ । ଏତଦ୍‌ ବ୍ୟତୀତ ଅତ୍ୟାବଶ୍ୟକୀୟ ସେବାରେ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ, ଆରକ୍ଷୀ ବିଭାଗର ଅଧିକାରୀ/ କର୍ମଚାରୀ, ମୋଟର ଯାନ କର୍ମଚାରୀମାନେ କିପରି ନିଜର ମତଦାନ କରିପାରିବେ, ସେ ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସୂଚନା ଦେଇଥିଲେ । ବିଗତ ନିର୍ବାଚନରେ ମତଦାନ ହାର କମ୍‌ ରହୁଥିବା ଅଞ୍ଚଳରେ କିପରି ମତଦାନ ହାର ବୃଦ୍ଧି ପାଇବ ସେ ସଂପର୍କରେ ସୁଚିନ୍ତିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ମତଦାନ କେନ୍ଦ୍ରମାନଙ୍କରେ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ।

    ଏହି ବୈଠକରେ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପଦେଷ୍ଟା ଡ. ସାଧନା ରାଉତ ଉଦ୍‌ବୋଧନ ଦେଇ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ପରିଦର୍ଶନବେଳେ ଭୋଟର ସଚେତନତା ଦିଗରେ ନିଆଯାଇଥିବା ପଦକ୍ଷେପ ସନ୍ତୋଷଜନକ ବୋଲି କହିବା ସହ ଏ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସମସ୍ତଙ୍କ ସହଯୋଗରେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିପୁଳ ମତଦାନ ଦେଶର ସଫଳ କାହାଣୀ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

    ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏବଂ ଭାରତ ନିର୍ବାଚନ ଆୟୋଗଙ୍କ ଅଣ୍ଡର ସେକ୍ରେଟାରୀ ଲବକୁଶ ଯାଦବ ବୈଠକରେ ମତ ଉପସ୍ଥାପନ କରିଥିବାବେଳେ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟର ସମସ୍ତ ଜିଲ୍ଲାର ଏସ୍‌ଭିଇଇପି ନୋଡାଲ ଅଫିସରମାନେ ନିଜ ନିଜ ଜିଲ୍ଲାର ଭୋଟର ସଚେତନତା କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *