ପୁରୀ ଶ୍ରୀ ଜଗନ୍ନାଥମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଅବସରରେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ନିମନ୍ତ୍ରଣ ।

ଯାଜପୁର,୨୭/୧୨/୨୦୨୩ (ଓଡ଼ିଶା ସମାଚାର)-ପବିତ୍ର ଜ୍ୟେଷ୍ଠ ଶୁକ୍ଳପକ୍ଷ ସପ୍ତମୀ ତିଥି ୨୦୨୪ ଜାନୁୟାରୀ ୧୭ ତାରିଖ ବୁଧବାର ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୪ ଘଟିକା ସମୟରେ ଶ୍ରୀ ମନ୍ଦିର ପରିକ୍ରମା ପରିସର, ଶ୍ରୀ ଜଗନ୍ନାଥ, ପୁରୀ ଠାରେ ଶ୍ରୀ ମନ୍ଦିର ପରିକ୍ରମା କମିଟି ଆନୁକୂଲ୍ୟରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ପୁରୀ ପ୍ରଶାସନର ଦଇତାପତି ଏବଂ ପ୍ରଶାସନିକ ଅଧିକାରୀଙ୍କ ଏକ ୪ ଜଣିଆ ଟିମ୍ ଯାଜପୁର ଜିଲା ଗସ୍ତ କରି ଯାଜପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ଶକ୍ତିପୀଠ ମା’ ବିରଜାଙ୍କ ସେବାୟତଙ୍କୁ ସକାଳ ୯ ଘଟିକା ସମୟରେ ନିମନ୍ତ୍ରଣ କରିବା ପାଇଁ ପ୍ରଦକ୍ଷଣ ଭବନରୁ ବାହାରି ବିରଜା ମନ୍ଦିର ପରିସରରେ ପହଂଚିଥିଲେ । ଦଇତାପତି ମାନଙ୍କ ମଧ୍ୟରେ ଶ୍ରୀ ଜିତେନ୍ଦ୍ର ନାଥ ଦାଶ ମହାପାତ୍ର, ଶ୍ରୀ ଭଗବାନ ଦାଶ ମହାପାତ୍ର, ଶ୍ରୀ ରାମାନନ୍ଦ ଦାଶ ମହାପାତ୍ର ଏବଂ ଜିଲା ପ୍ରଶାସନ, ପୁରୀ, ଡେପୁଟୀ କଲେକ୍ଟର ଶ୍ରୀ ବିବେକାନନ୍ଦ ସାହୁଙ୍କୁ ଘଣ୍ଟ, ଶଙ୍ଖ, ସଂକୀର୍ତନ, ହରିବୋଲ, ହୁଳହୁଳି ଧ୍ୱନି ଶୋଭାଯାତ୍ରାରେ ମା’ ବିରଜାଙ୍କ ରଥ ଦାଣ୍ଡରୁ ମନ୍ଦିର ମଧ୍ୟକୁ ପାଛୋଟି ନିଆଯାଇଥିଲା । ଏହି ଶୋଭାଯାତ୍ରାରେ ମା’ ବିରଜା ବ୍ୟାଣ୍ଡ ପାର୍ଟି, ବାଲୁେଙ୍କଶ୍ୱର ସଂକୀର୍ତନ ମଣ୍ଡଳୀ, କୋଳଥା ବାଙ୍କସାହି, ମା’ ବିଣାପାଣି ସଂକୀର୍ତନ ମଣ୍ଡଳୀ, ବାଙ୍କସାହି, ସୁଜନପୁର, ଓଡିଶୀ ନୃତ୍ୟରେ ବ୍ୟାସଶ୍ରୀ କଳା ନିକେତନ, ଯାଜପୁର ରୋଡର ସ୍ୱର୍ଣ୍ଣଲକ୍ଷ୍ମୀ ମିଶ୍ର, ସ୍ମୃତିମୟୀ ଲତାସା ମାଝି ଯୋଗ ଦେଇଥିଲେ । ପରେ ବିରଜା ମା’ଙ୍କ ମନ୍ଦିରର ସେବାୟତ ଦେବୀ ପ୍ରସାଦ ପାଣି, ସୁକାନ୍ତ ପାଣି, ନାଗେନ୍ଦ୍ର ଭୂଷଣ କର, ଦିଗମ୍ୱର ପାଣି, ସତ୍ୟବ୍ରତ ପାଣି, ଭବାନୀ ପ୍ରସାଦ ପାଣି, ବିଜୟ ପାଣି, ବିକାଶ ପାଣି, କିଶୋର ପାଣି, ଦିପାଲି ପାଣି, ସୁରଜ ପାଣି, କଲ୍ୟାଣ ପାଣି, ମନ୍ଦିର କର୍ମଚାରୀ ମଳୟ କୁମାର ପଣ୍ଡା, ପ୍ରଭାତ ପତି, ଚନ୍ଦନ ଦୀକ୍ଷିତ ପ୍ରମୁଖ ଉପସ୍ଥିତିରେ ଯଥାବିଧି ମା’ ଙ୍କୁ ପୂଜାର୍ଚ୍ଚନା କରି ପୁରୀ ଶ୍ରୀ ମନ୍ଦିର ସେବାୟତ ଟିମ୍ ନିମନ୍ତ୍ରଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠାରଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ଜିଲାପାଳ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା, ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଓ ଜିଲା ସଂସ୍କୃତି ଅଧିକାରୀ ସେବାୟତ ଦଳଙ୍କୁ ନେଇ ଶ୍ରୀ ବରାହ ଜୀଊ ମନ୍ଦିର ପରିଦର୍ଶନ କରିବା ସହ ଯଥା ରୀତିମତେ ପୂଜାର୍ଚ୍ଚନା କରି ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ସୀତାରାମ ଦୀକ୍ଷିତଙ୍କ ସହ ଆଧ୍ୟାତ୍ମିକ ଆଲୋଚନା କରିଥିଲେ । ସେଠାରୁ ଦଶାଶ୍ୱମେଧ ଘାଟ ପରିଦର୍ଶନ କରିବା ସହ ମା’ ଲକ୍ଷ୍ମୀ ଠାକୁରାଣୀ, ଶ୍ରୀ ଜୀଉ ମାନଙ୍କୁ ଏବଂ ଜମ ମା ସାତ ଭଊଣୀ ଓ ସିଦ୍ଧି ବିନାୟକଙ୍କୁ ଦର୍ଶନ କରି ସିଦ୍ଧେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରି ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ସହ ପୂଜକ ଶ୍ରୀ ହୃଦାନନ୍ଦ ଦୀକ୍ଷିତଙ୍କ ସହ ମନ୍ଦିରର କିମ୍ୱଦନ୍ତୀ ସଂପର୍କରେ ପଚାରି ବୁଝିଥିଲେ । ପରିଶେଷରେ କୁସୁମା ପୁଷ୍କରଣୀ ପରିଦର୍ଶନ କରି ଭଦ୍ରକ ଜିଲା ଅଭିମୁଖେ ନିମନ୍ତ୍ରଣ କରିବାକୁ ଯାତ୍ରା କରିଥିଲେ । ପ୍ରକାଶ ଥାଉ କି, କାଲି ସଂଧ୍ୟାରେ ଦଇତାପତି ଦଳ ପହଂଚିବା ପରେ ଅତିରିକ୍ତ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା ପ୍ରଦକ୍ଷଣ ଭବନ ଠାରେ ସେମାନଙ୍କୁ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *