କଳାବୁଦା ବାରୁଣୀରେ ବୁଡ ପକାଇଲେ ୨୦ ହଜାର ଶ୍ରଦ୍ଧାଳୁ

ଗରଦପୁର,୦୬/୦୪/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଚିତ୍ରୋତ୍ପଳା ନଦୀ କଳାବୁଦା ଘାଟରେ ମହାବାରୁଣୀ ସ୍ନାନ ଅବସରରେ ପ୍ରାୟ ୨୦ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ବୁଡ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ପ୍ରତି ବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ବୁଡ ପଡିଥାଏ । ତେବେ ଚଳିତ ବର୍ଷ ମହାବାରୁଣୀ ସ୍ନାନ ପଡିଥିବାରୁ ଚିତ୍ରୋତ୍ପଳା ନଦୀ ତଟ ଏବଂ କଳାବୁଦା ସେତୁ ଉପର ଲୋକାରଣ୍ୟ ହୋଇଥିଲା । ଏହିଦିନ ସ୍ନାନ କଲେ ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ଲୋକମୁଖରୁ ଶୁଣାଯାଏ । ତେଣୁ ଆଜି ବଢିଭୋରୁ ଶ୍ରଦ୍ଧାଳୁମାନେ ଆସି ସ୍ନାନ କରି ସାରିବା ପରେ ପିର ଫକିରମାନେ ପକାଇଥିବା ଲୁଗାରେ ଚାଉଳ, ବିରି, ମୁଗ, ପଇସା ଦାନ କରିବା ସହିତ ସେଠାରେ ଥିବା ଶ୍ରୀଶ୍ରୀ ଉତରେଶ୍ୱର ମହାଦେବଙ୍କୁ ଦର୍ଶନ କରିଥିଲେ । ଲୋକକଥା ଅନୁଯାୟୀ ଏହି ପୂଣ୍ୟତୋୟା ଚିତ୍ରୋତ୍ପଳା ଗଙ୍ଗାଠାରୁ ୧୦୦ ବର୍ଷ ବଡ ହୋଇଥିବାରୁ ଲୋକମାନେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ, ଶ୍ରାଦ୍ଧ, ତର୍ପଣ ଓ ଅସ୍ତି ବିସର୍ଜନ କରିଥିଲେ । ଏହି ବାରୁଣୀ ସ୍ନାନ ଦିନ ପିଣ୍ଡଦାନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ଲୋକକଥା ରହିଛି । ପିଣ୍ଡଦାନ କରୁଥିବା ବ୍ୟକ୍ତିମାନେ ଲଣ୍ଡା ହୋଇ ପିଣ୍ଡ ଦାନ କରି ଭୋଜି ଦେଉଥିବା ଦେଖିବାକୁ ମିଳିଥିଲା । କେହି କେହି ଛୋଟ ଛୋଟ ପିଲା ମାନଙ୍କର ଜାଆଁବାଳ ପକାଇବା ସହ ବିବାହ ମୁକୁଟ, ପଉଡିମଶିଣା ଓ ଗଇଣ୍ଠାଳ କୁ ପାଣି ରେ ଭସାଇଥିଲେ । ଏହି ପୀଠରେ ଥିବା ଶ୍ରୀ ଶନିଶ୍ଚର ମନ୍ଦିର, ଶ୍ରୀ ହନୁମାନ ମନ୍ଦିର, ସୂର୍ଯ୍ୟମନ୍ଦିର, ମା’ ସନ୍ତୋଷୀ ମନ୍ଦିର, ସାଇବାବା ମନ୍ଦିର, ଅଭିରାମ ଆଶ୍ରମ ସହିତ ଅନୁକୂଳଚନ୍ଦ୍ର ଙ୍କ ସତସଙ୍ଗ ମନ୍ଦିରରେ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିରହିଥିଲା । ଆଗରୁ ଏହି ମେଳା ଏକ ମାସ ଧରି ଚାଲୁଥିଲା । କିନ୍ତୁ ବର୍ତମାନ ସାତ ଦିନଧରି ଚାଲୁଥିବା ମେଳାରେ ବ୍ୟବସାୟୀ ମାନେ ହରେକମାଲ ଠାରୁ ଆରମ୍ଭ କରି ଷ୍ଟେସନାରୀ, ବହି, ଚକି, ଶୀଳ, କାଠ ତିଆରି ଜିନିଷ, ମାଟିର ହାଣ୍ଡି, ମାଠିଆ ଓ ଖେଳନା ଇତ୍ୟାଦିର ପସରା ମେଲାଇଛନ୍ତି । ଗାଁ ଗହଳି ର ଝିଅ ବୋହୂମାନେ ଘର କରଣା ଜିନିଷ କିଣିବା ପାଇଁ ଭିଡ ଜମାଇବା ସହିତ ଚାଟ୍, ଠୁଙ୍କାପୁରୀ ଏବଂ ବିଭିନ୍ନ ଫାଷ୍ଟ ଫୁଡ୍ ଖାଉଥିବା ଦେଖାଯାଇଛି । ବାରୁଣୀ ନିମନ୍ତେ ଶ୍ରୀଶ୍ରୀ ଉତରେଶ୍ୱର ମହାଦେବଙ୍କ ନିକଟରେ ବିଶ୍ୱଶାନ୍ତି ମହାଯଜ୍ଞ ଚାଲୁ ରହିଥିବାବେଳେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । କୁଦାନଗରୀ ଥାନା ଅଧିକାରିଣୀ ଅମ୍ବିକା ଦାସ ଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିôବାବେଳେ କୋରୁଆ ଅଗ୍ନିସେବା ବାହିନୀର କର୍ମଚାରୀମାନେ ଜରୁରୀକାଳୀନ ସେବା ନିମନ୍ତେ ନିୟୋଜିତ ଥିଲେ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ବିଭିନ୍ନ ବଦାନ୍ୟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ସ୍ଥାନରେ ଦହିପାଣି ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *