ବିଧାନସଭା ପରିସରରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୨୩/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ । ସେ ସର୍ବଦା ଦରିଦ୍ର ଅବହେଳିତ, ଦଳିତଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ । ଜଣେ ନିଷ୍ଠାପର ଜନନାୟକ ଏବଂ ବିପ୍ଳବୀର ସମସ୍ତ ଗୁଣ ତାଙ୍କଠାରେ ପରିପୂର୍ଣ୍ଣ ଥିଲା । ସେ ସଂଭ୍ରାନ୍ତ ଓ ଜମିଦାର ପରିବାରର ବ୍ୟକ୍ତିଥିଲେ ମଧ୍ୟ ସମାଜର ଦଳିତ ଓ ନିଷ୍ପେସିତ ବର୍ଗର ଲୋକଙ୍କ ପାଇଁ ସାରା ଜୀବନ ସଂଗ୍ରାମ ଜାରି ରଖିଥିଲେ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଅସହଯୋଗ ଆନ୍ଦୋଳନରେ ସେ ଯୋଗଦେଇଥିଲେ । ସେତେବେଳେ ଓଡ଼ିଶାର ଛାତ୍ର ଓ ଯୁବକମାନଙ୍କ ଭିତରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଥିଲା ।

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶ ଦେଶସେବକ ଓ ନିଷ୍ଠାପର କର୍ମୀ ତଥା ଓଡ଼ିଶାର ଦଳିତ, ଅବହେଳିତ, ନିଷ୍ପେସିତଙ୍କ ପ୍ରକୃତ ବନ୍ଧୁ ଏବଂ ଜଣେ ବିପ୍ଳବୀ ଜନନାୟକ । ଦୀନହୀନ ଅବସ୍ଥାରେ କାଳାତିପାତ କରୁଥିବା ଚାଷୀମୂଲିଆଙ୍କ ସେବା କରି ନିଜକୁ ଧନ୍ୟ ମନେ କରୁଥିଲେ । କ୍ଷମତା ନବକୃଷ୍ଣ ଚୌଧୁରୀଙ୍କ ପରି ବ୍ୟକ୍ତିତ୍ୱଙ୍କୁ କରାୟତ କରିପାରିନଥିଲା ଓ ଦୁର୍ନୀତି ତାଙ୍କୁ ସ୍ପର୍ଶ କରିପାରି ନଥିଲା ।

ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ପୂର୍ବତନ ବିଧାୟକ ଶ୍ରୀ ଯଜ୍ଞେଶ୍ୱର ବାବୁ, ଉତ୍କଳ ସମ୍ମିଳନୀର ବରିଷ୍ଠ ସଦସ୍ୟ ଓ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ବିଧାନସଭା ପରିସରରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀବୃନ୍ଦ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ ।

-0-

ବିଭୂତିନାୟକ, ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *