ଗୋଳବାଇର ଦଶଦୋଳ ଯାତ୍ରା

 ନିରାକାରପୁର, ୦୬/୦୪/୨୦୨୪ (ଓଡ଼ିଶା ସମାଚାର)- ଦୋଳଯାତ୍ରା ଉତ୍କଳର ଏକ ସ୍ୱତନ୍ତ୍ର ପରମ୍ପରା। ଏହି ମହାନ ସାଂସ୍କୃତିକ ପରମ୍ପରା ମଧ୍ୟରେ ଗୋଳବାଇର ଦଶଦୋଳ ଯାତ୍ରା ଅନ୍ୟତମ। ଚୈତ୍ରମାସ କୃଷ୍ଣପକ୍ଷ ଦଶମୀ ତିଥି ମଧ୍ୟରାତ୍ରୀର ନୀତି ନିର୍ଘଣ୍ଟ ନିର୍ଦ୍ଧାରିତ ଏକ ଅମୃତ ବେଳାରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ନିଜ ମନ୍ଦିର ଆସ୍ଥାନକୁ ତ୍ୟାଗ କରି ଉତ୍କୁଣ୍ଠିତ ନୟନରେ ଚାହିଁ ରହିଥିବା ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସହିତ ମହାପଟୁଆରରେ ସୁସଜ୍ଜିତ ଦୋଳ ବିମାନରେ ଆସି ସାମିଲ ହୁଅନ୍ତି। ବିଶ୍ୱ କଲ୍ୟାଣମୟୀ ମା’ ଭଗବତୀଙ୍କ ଆଗମନୀରେ ହରିବୋଲ, ହୁଳହୁଳି ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠେ।ବାଜି ଉଠନ୍ତି ଶୁଭଶଙ୍ଖ,ଘଣ୍ଟ-ଘଣ୍ଟା,ଭେରୀ-ତୁରୀ,ଟମକ-କାହାଳୀ,ଢୋଲ-ମହୁରୀ ଏବଂ ଖୋଳ-ତାଳର ସୁମଧୁର ମୂର୍ଚ୍ଛନା। ନାନା ରଙ୍ଗ ନୃତ୍ୟ ରସରେ ନାଚି ଉଠନ୍ତି ନୃତ୍ୟକାରୀମାନେ।ଚଇତି ଘୋଡ଼ା ନୃତ୍ୟ,ନାଗା ନୃତ୍ୟ,ପରୀ ନୃତ୍ୟ,ବାଘ ନୃତ୍ୟ,ପାଇକ ଆଖଡା ନୃତ୍ୟ,କଣ୍ଢେଇ ନୃତ୍ୟ,ବିଭିନ୍ନ ଦେବଦେବୀଙ୍କ ପ୍ରତିମାଧାରୀ କଳ ନୃତ୍ୟ, କଳ ଘୋଡ଼ା ନୃତ୍ୟ ସାଙ୍ଗକୁ ଆଧୁନିକ ଯାନ୍ତ୍ରିକ ବାଦ୍ୟ ରସରେ ଆଚ୍ଛାଦିତ ଅଲୋକମାଳାର ଅପୂର୍ବ ଦୃଶ୍ୟରାଜି ସତେ ଯେମିତି ଶୋଭାଯାତ୍ରାର ରୂପକୁ ସ୍ବର୍ଗୀୟ ଭୂଷଣରେ ବିମଣ୍ଡିତ କରିଦିଏ। ଆଗକୁ ଆଗକୁ ଶୋଭାଯାତ୍ରା ବାଦ୍ୟର ନିର୍ଘୋଷ ନାଦରେ ମାଡିଚାଲେ। ପୂର୍ବ ନିର୍ଦ୍ଧାରିତ ଅଖାପାଖି ପ୍ରାୟ ୨୦ ଟି ମୌଜାରୁ ୫୦ରୁ ଉର୍ଦ୍ଧ୍ବ ନିମନ୍ତ୍ରିତ ଯଥା – ବାଲିଗାଡ଼ିଆ , ଜଙ୍କିଆ ,ନିରାକାରପୁର , କାଶୀପୁର , ତଇଲା , ଭଗବତୀପଡା , ସାନ୍ତରାପୁର , ମାନପୁର , ହାଡପଦା , କୃଷ୍ଣପୁର , ମୋଟା , ଗୋଡିପଡା ପ୍ରଭୃତି ଗୋଳବାଇ ଗ୍ରାମପଞ୍ଚାୟତ ସମେତ ଆରାଧ୍ୟ ଦେବଦେବୀମାନେ ଦୋଳବିମାନରେ ଆସି ସାମିଲ ହୋଇ ଏହି ମହାପଟୁଆରର ଦୃଶ୍ୟରାଜିକୁ ବହୁଗୁଣିତ କରିଦିଅନ୍ତି। ଦଶମୀର ଉଷା ମୁହୂର୍ତ୍ତରେ ଶୋଭାଯାତ୍ରାର ଭ୍ରମଣ ସରନ୍ତେ , ନିଜ ଯାତ୍ରାର ସ୍ବୟଂ ସ୍ଥାନାଧିପତିନୀ ମା’ ଭଗବତୀ ନିଜର ସୁସଜ୍ଜିତ ଦୋଳ ବେଦୀ ପରେ ଉପବେଶନ କରିବା ସହିତ ନିମନ୍ତ୍ରିତ ଦେବଦେବୀମାନେ ପୂର୍ବ ନିର୍ଦ୍ଧାରିତ ମଣ୍ଡପରେ ଅସୀନ ହୁଅନ୍ତି।ସମବେତ ଶ୍ରଦ୍ଧାଳୁଙ୍କ ଭିଡରେ ଏହିପରି ଦଶମୀ ଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ମହା ଆଡମ୍ବର ସହକାରେ ଦୀର୍ଘ ୪ ଦିନ ଧରି ଯାତ୍ରା ଚାଲେ। ଲୋକମୁଖରୁ ଶୁଣାଯାଏ ଯେ ବର୍ତ୍ତମାନ ଯେଉଁ ଦଶଦୋଳ ଯାତ୍ରା ଏଠାରେ ଅନୁଷ୍ଠିତ ହେଉଅଛି ତାହା ପୂର୍ବରୁ ଗୋଳବାଇଶାସନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଙ୍ଗାପାହାଡ଼ ଉପରେ ଅନୁଷ୍ଠିତ ହେଉଥିଲା । ସେହି ଯାତ୍ରାର ସ୍ଥାନାଧିପତି ଥିଲେ ମହାପ୍ରଭୁ ନୃସିଂହନାଥ । ଶୁଣାଯାଏ ସେଠାରେ ବିଭିନ୍ନ ପ୍ରକାର ଅସୁବିଧା ହେବାରୁ ସମୟକ୍ରମେ ସେହି ଯାତ୍ରାଟିକୁ ମା’ ଭଗବତୀଙ୍କ ପୀଠରେ ଅନୁଷ୍ଠିତ ହେଇଆସୁଛି । କିନ୍ତୁ ଏବେ ମଧ୍ୟ ସେହି ପରମ୍ପରାକ୍ରମେ ଉକ୍ତ ଦଶଦୋଳ ଯାତ୍ରାର ସ୍ଥାନାଧିପତି ହେଉଛନ୍ତି ସ୍ୱୟଂ ନୃସିଂହନାଥ । ଯାହାଙ୍କର ଆସ୍ଥାନ ଆମେ ଦେଖିବାକୁ ପାଇବା ସ୍ଥାନାଧିପତିନୀ ମା’ ଭଗବତୀଙ୍କ ଦୋଳବେଦୀର ଠିକ୍ ଦକ୍ଷିଣ ଭାଗରେ ଅବସ୍ଥିତ ଆଉ ଏକ ଦୋଳବେଦୀରେ ବିଜେ ମହାପ୍ରଭୁ ନୃସିଂହନାଥ ।ମେଳଣ ପଡ଼ିଆର ଶୋଭାକୁ ବହୁମ୍ମୁଖୀ କରିଥାଏ ଶହ ଶହ ଦୋକାନର ଭିଡ଼। ବିଭିନ୍ନ ଗୃହ ଉପକରଣୀୟ ସାମଗ୍ରୀର ବିକାକିଣା ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟପଦାର୍ଥରେ ଅସଂଖ୍ୟ ଶ୍ରଦ୍ଧାଳୁ ମଜା ନିଅନ୍ତି।ଏହା ଏକ ଭାଇଚାରାର ପର୍ବ। ବର୍ଷକରେ ଥରେ ମେଳଣ ପଡ଼ିଆରେ ବହୁଦିନର ପୁରୁଣା ବନ୍ଧୁଙ୍କ ସହ ଭେଟ-ଭାଟ ହେବାରେ ଏକ ନିଆରା ଆନନ୍ଦ ମିଳେ।କାନ୍ଧକୁ କାନ୍ଧ ମେଳାଇ ପରସ୍ପର ମଧ୍ୟରେ କୋଳାଗ୍ରତ ହେବାର ଆନନ୍ଦ ଏହି ମେଳଣ ପଡ଼ିଆ ହିଁ ତାର ମୁକସାକ୍ଷୀ। ଦର୍ଶକଙ୍କ ରାତ୍ରି ମନରଞ୍ଜନ ନିମିତ୍ତ ଓଡ଼ିଶାର ବହୁ ଲୋକପ୍ରିୟ ଅପେରା ପାର୍ଟି ଦୀର୍ଘ ରାତ୍ରି ବ୍ୟାପୀ ସେମାନଙ୍କର କଳା ପରିବେଷଣ କରି ଦର୍ଶକଙ୍କ ମନକୁ କିଣି ନିଅନ୍ତି। ପରେ ପରେ ସରି ଆସେ ତ୍ରୟୋଦଶୀ ରାତ୍ରି।ଠିକ୍ ଚତୁର୍ଦ୍ଦଶୀର ଉଷା ପ୍ରହରକୁ ସମସ୍ତଙ୍କର ଅପେକ୍ଷା।ମା’ଭଗବତୀ ନିଜର ଚତୁର୍ଦିନାତ୍ମକ ଯାତ୍ରା ଆସନକୁ ପରିତ୍ୟାଗ କରି ଉଠନ୍ତି ମହା ମେଳଣ ପର୍ବରେ ସାମିଲ ହେବା ପାଇଁ। ମା’ଙ୍କ ସହିତ ଉଠିଆସନ୍ତି ବିମାନାରୁଢ଼ ନିମନ୍ତ୍ରିତ ଦେବଦେବୀମାନେ ରତ୍ନ ବେଦୀର ଚତୁପାର୍ଶ୍ଵକୁ।ଅସଂଖ୍ୟ ଭକ୍ତଗଣ ଫଗୁ,ରଙ୍ଗ,ଅବିର ଧରି ଏକ ଅପୂର୍ବ ମୁହୂର୍ତ୍ତର ମହାମିଳନ ଘଟେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ। ଭକ୍ତଗଣ ଆତୁର କଣ୍ଠରେ ନିଜର ଦୂରବସ୍ଥା ଜଣାନ୍ତି ଦେବଦେବୀଙ୍କୁ ଏହି ମେଳନର ରଙ୍ଗ ଅର୍ପଣରେ।ତାପରେ ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରନ୍ତି ,ପୁଣି ଭକ୍ତ ଅପେକ୍ଷା ରଖେ ଆର ବର୍ଷକୁ ।

ଏହି ଦଶଦୋଳ ଯାତ୍ରାକୁ ଅତୀବ ଶୃଙ୍ଖଳିତ ଏବଂ ସୁଚାରୁରୂପେ ପରିଚାଳନା କରିବାପାଇଁ ଦୀର୍ଘବର୍ଷ ଧରି ମା’ ଭଗବତୀ ଦଶଦୋଳ ଯାତ୍ରା କମିଟି କାର୍ଯ୍ୟ କରିଆସୁଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କମିଟିର ତତ୍ତ୍ୱାବଧାନରେ ଏବଂ ପୂର୍ଣ୍ଣ ସହଯୋଗରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଯାତ୍ରା ଅନୁଷ୍ଠିତ ହେଉଅଛି । ଗତ କାଲି ଗୋଳବାଇ ମେଲଣ ଜମି ଥିବାବେଳେ ଆଜି ଠାରୁ ଦୋଳ ଯାତ୍ରା ଦେଖିବାକୁ ବହୁ ସଂଖ୍ୟାରେ ଭିଡ ଜମିଛି।

Leave a Reply

Your email address will not be published. Required fields are marked *