ବଡ଼ବିଲ, ୨୫/୧୧/୨୦୨୩ (ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ତହସିଲ୍ ତଥା ବାଲାଣି ଥାନା ଅନ୍ତର୍ଗତ ପାଣ୍ଡୁଲ ଜଳପ୍ରପାତ ରେ ଗତ ୨୩ତାରିଖ ଦିନ ନିଖୋଜ ହୋଇଥିବା ଛାତ୍ର ତାରାଶଙ୍କର ମୃତ ଦେହ ଉଦ୍ଧାର ହୋଇଛଇ। ସୂଚନା ଅନୁଯାୟୀ ସୁଦୂର ପଶ୍ଚିମବଙ୍ଗ ରାଜ୍ୟ କଲିକତା ଅଞ୍ଚଳର ଆଶୁତୋଷ ନାମକ ଏକ ଘରୋଇ ମହାବିଦ୍ୟାଳୟର କିଛି ଛାତ୍ର ଛାତ୍ରୀ ଏକ ଷ୍ଟଡିଟୁର ରେ ଆସି ବଡବିଲ ଥାନା ଅନ୍ତର୍ଗତ ହୋଟେଲ୍ ଆଧାର ରେ ରହିଥିବା ବେଳେ ଗତ ୨୩ ତାରିଖରେ ବାଲାଣି ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ଓ ଅସୁରକ୍ଷିତ ଭାବେ ଥିବା ପାଣ୍ଡୁଲ ଜଳପ୍ରପାତ କୁ ବୁଲିବାକୁ ଯାଇଥିଲେ । କୌଣସି କାରଣରୁ ଅବା ଅସାବଧାନତା ଯୋଗୁ ଦୁଇଜଣ ଛାତ୍ର ପାଣ୍ଡୁଲ ଜଳପ୍ରପାତ ରେ ଥିବା ଗଭୀର ଜଳରେ ଖସିପଡ଼ିଥିଲେ । ସେଥି ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ତାରାସ ୨୩ ତାରିଖରୁ ନିଖୋଜ ଥିଲେ । ବଡବିଲ ଅଗ୍ନିଶମ ବିଭାଗ କର୍ମଚାରୀ ଅକ୍ଲାନ୍ତ ଚେଷ୍ଟା ପରେ ମଧ୍ୟ କୌଣସି ପ୍ରକାରର ସନ୍ଧାନ ପାଇନଥିବା ବେଳେ ରାଉଲକେଲା ରୁ ଓଡ୍ରାଫ୍ ଟିମ୍ ଆସି ଗତକାଲି ୨୪ତାରିଖ ସଖାଳୁ ନିଖୋଜ ଛାତ୍ରକୁ ସନ୍ଧାନ ଜାରିରଖିଥିବା ବେଳେ ଆଜି ୨୫ତାରିଖ ପାଖାପାଖି ୪୮ଘଣ୍ଟା ପରେ ଉକ୍ତ ନିଖୋଜ ଛାତ୍ରକୁ ମୃତ ଅବସ୍ଥାରେ ଗଭୀର ଜଳରାଶିରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ତେବେ ଏଇଠି ପ୍ରଶ୍ନ ଉଠେ ଉକ୍ତ ଛାତ୍ର ଛାତ୍ରୀ ଙ୍କୁ ଉକ୍ତ ପାଣ୍ଡୁଲ ଜଳପ୍ରପାତ ପାଖକୁ ନେଲା କିଏ ଓ ତାଙ୍କୁ ଉକ୍ତ ସ୍ଥାନକୁ ନେବା ପୂର୍ବରୁ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇଥିଲା କି । ଉକ୍ତ ଅସୁରକ୍ଷିତ ଘଞ୍ଚ ଜଙ୍ଗଲ ଓ ଜଳରାଶି ନିକଟକୁ ଯିବାପାଇଁ କଣ ଆଞ୍ଚଳିକ ପ୍ରଶାସନ ନିକଟରୁ ଅନୁମତି ନିଆଯାଇଥିଲା । ଯଦି ଏସବୁ କୁ ଦୃଷ୍ଟିରେ ରଖି ଉକ୍ତ ଅସୁରକ୍ଷିତ ସ୍ଥାନକୁ ଯାଇଥାନ୍ତେ ତେବେ ଏକ ଉଦୀୟମାନ ଯୁବ ପ୍ରତିଭାର ଜୀବନ ବଞ୍ଚି ଯାଇଥାନ୍ତା। ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଅତି ସମ୍ବେଦନ ସହ ଗ୍ରହଣ କରି ପ୍ରକୃତ ଦୋଷୀ ଉପରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।