‘ରାଜ୍ୟ ଷ୍ଟିୟରିଂ କମିଟି (ସୁଗମ ନିର୍ବାଚନ)’ ବୈଠକ

                                                 ଭିନ୍ନକ୍ଷମ ମତଦାତାଙ୍କ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୩୦ /୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦେଶରେ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪କୁ ଏକ ସମ୍ମିଳିତ ମତଦାନର ପର୍ବ ରୂପେ ପାଳନ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସେହି କ୍ରମରେ ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟାରେ ସବୁବର୍ଗର ମତାଦାତାଙ୍କୁ ଯେଭଳି ଭାବରେ ସାମିଲ କରାଯାଇପାରିବ ସେହି ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ରାଜ୍ୟ ଷ୍ଟିୟରିଂ କମିଟି (ସୁଗମ ନିର୍ବାଚନ)’ର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ‘ଭିନ୍ନକ୍ଷମ ମତଦାତା’ମାନଙ୍କ ପାଇଁ ମତଦାନ ପ୍ରକ୍ରିୟାକୁ ସୁଗମ କରିବା ବିଷୟରେ ଆଲୋଚନା ହୋଇଥିଲା ।

        ମତଦାତା ତାଲିକାରେ ଭିନ୍ନକ୍ଷମ ମତଦାତାଙ୍କୁ ସାମିଲ କରିବାରେ ଓଡ଼ିଶାର ହାର ଜାତୀୟ ହାରଠୁ ଉପରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫.୪୭ ଲକ୍ଷ ଭିନ୍ନକ୍ଷମ ଭୋଟର ମତଦାନ ପାଇଁ ମାର୍କିଂ ହୋଇଛନ୍ତି । ସେମାନଙ୍କୁ ସମସ୍ତଙ୍କୁ ଘରୁ ମତଦାନ କେନ୍ଦ୍ରକୁ ଆଣିବା ଓ ମତଦାନ କେନ୍ଦ୍ରରୁ ନେଇ ଘରେ ଛାଡ଼ିବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ହ୍ୱିଲ୍‌ ଚେୟାରର ବନ୍ଦୋବସ୍ତ କରାଯାଇଛି । ସମସ୍ତ ମତଦାନ କେନ୍ଦ୍ରରେ ହ୍ୱିଲ୍‌ଚେୟାର ନେବା ପାଇଁ ସ୍ୱତନ୍ତ୍ର ର୍ୟାମ୍ପର ବ୍ୟବସ୍ଥା ରହିବ । ସମସ୍ତ ବୁଥ୍‌ରେ ଭିନ୍ନକ୍ଷମ ମତଦାତାମାନେ ଅଗ୍ରାଧିକାର ଭିତ୍ତିରେ ମତଦାନ କରିବେ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୧୪ରୁ ୧୮ ବର୍ଷ ବୟସର ସେ୍ୱଚ୍ଛାସେବୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଉଛି । ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ସମୟରେ ମଧ୍ୟ ଭିନ୍ନକ୍ଷମ ମତଦାତାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁଗମ ମତଦାନର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇବା ପାଇଁ ସେକଫର ଅଫିସର, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଛି । ଦୃଷ୍ଟିବାଧିତ ମତଦାତାଙ୍କ ପାଇଁ ବ୍ରେଲି ଅକ୍ଷରରେ ମୁଦି୍ରତ ବାଲାଟ ପେପର ସମସ୍ତ ବୁଥ୍‌ରେ ରଖାଯିବ । ମତଦାନ ପାଇଁ ରାଜ୍ୟର ସମସ୍ତ ବୁଥ୍‌କୁ ତଳମହଲାରେ କରାଯାଇଛି । ଯେଉଁ ଭିନ୍ନକ୍ଷମ ମତଦାତାଙ୍କର ୪୦ ପ୍ରତିଶତରୁ ଊଦ୍ଧ୍ୱର୍ ବେଞ୍ଚମାର୍କ ଭିନ୍ନକ୍ଷମତା ରହିଥିବ ଏବଂ ତତ୍‌ସଂକ୍ରାନ୍ତୀୟ ପ୍ରମାଣପତ୍ର ଥିବ ସେମାନେ ଫର୍ମ ୧୨ (ଡି) ମାଧ୍ୟମରେ ଆବେଦନ କରି ନିଜ ଘରେ ଥାଇ ପୋଷ୍ଟାଲ ବାଲାଟ୍‌ ଜରିଆରେ ମତଦାନ କରିପାରିବେ । ଏହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଦ୍ୱାରା ସମସ୍ତ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସୁଗମ ମତଦାନର ପରିବେଶ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତ ରଖିଛନ୍ତି ।

        ସମସ୍ତ ବିଭାଗ ରାଜ୍ୟସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମନ୍ୱିତ ଭାବରେ କାର୍ଯ୍ୟକରି ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ସମସ୍ତ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ସୁଗମ ଓ ସ୍ମରଣୀୟ ମତଦାନର ବ୍ୟବସ୍ଥା ଦ୍ୱାରା ଗଣତନ୍ତ୍ରର ମହାପର୍ବରେ ସହଭାଗିତା ଓ ସମଭାଗିତାର ପରିବେଶ ସୃଷ୍ଟି କରିବା ପାଇଁ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ଏସବୁ ବ୍ୟବସ୍ଥା ଦ୍ୱାରା ହିଁ ‘ପ୍ରତିଟି ଭୋଟ ମୂଲ୍ୟବାନ’ର ଲକ୍ଷ୍ୟ ହାସଲ ହୋଇପାରିବ ଓ ନିର୍ବାଚନ ଦେଶର ଜାତୀୟ ଉତ୍ସବ ରୂପେ ପ୍ରତିଷ୍ଠିତ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଉଲ୍ଲେଖ କରିଥିଲେ ।

        ରାଜ୍ୟ ଷ୍ଟିୟରିଂ କମିଟିର ଏହି ବୈଠକରେ କମିଟିର ସଭ୍ୟା ଡକଫର ଶ୍ରୁତି ମହାପାତ୍ର ଆଭାସି ମାଧ୍ୟମରେ ସାମିଲ ହୋଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏହି ସମସ୍ତ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିବା ସହିତ ଜିଲ୍ଲାସ୍ତରୀୟ କମିଟିରେ ଏସବୁ ନେଇ ଉଚିତ ପ୍ରଶିକ୍ଷଣ ପାଇଁ ପ୍ରସ୍ତାବ ଦେଇଥିଲେ ।

        ବୈଠକ ପ୍ରାରମ୍ଭରେ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ପଦ୍ମଜା ଦାସ ଏକ ପିପିଟି ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ସମ୍ମିଳିତ ଭୋଟର ତାଲିକା ଓ ଭିନ୍ନକ୍ଷମ ମତଦାତା ସଂକ୍ରାନ୍ତୀୟ ବିଭିନ୍ନ ତଥ୍ୟ ରଖିଥିଲେ । ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାଏକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ମହାନ୍ତି, ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଓସେପା ଆଦିର ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *