କେନ୍ଦ୍ରାପଡା ଆମ୍ ଆଦମି ପାର୍ଟିର ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା, ୨୪/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଆମ୍ ଆଦମି ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ପାର୍ଟିର ଜିଲା ସଭାପତି ସନ୍ଦୀପ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଭାପତି ଶ୍ରୀ ଦାସ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଆମ୍ ଆଦମି ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯିବା ସମ୍ବନ୍ଧରେ ସାଂଘାତିକ ତଥ୍ୟ ପଦାକୁ ଆସିଛି । ଏହି ତଥ୍ୟରୁ ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି ଶ୍ରୀ କେଜ୍ରିୱାଲଙ୍କୁ ଜେଲ୍ ପଠାଇଥିବା ପ୍ରମାଣିତ ହେଉଛିି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡିର ଅଭିଯୋଗ ହେଉଛି ପି. ଶରଥଚନ୍ଦ୍ର ରେଡ୍ଡୀ ନାମକ ମଦ ବେପାରୀ ଶ୍ରୀ କେଜ୍ରିୱାଲଙ୍କୁ ଦିଲ୍ଲୀରେ ମଦଠିକା ପାଇବା ପାଇଁ ୧୦୦କୋଟି ଟଙ୍କା ଲାଂଚ ଦେଇଛନ୍ତି । କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ମାତ୍ର ସୁପ୍ରିମ କୋର୍ଟର ନିର୍ଦ୍ଧେଶ ପରେ ସାର୍ବଜନୀନ ହୋଇଥିବା ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଅତି ସାଂଘାତିକ କଥା ଜଣାପଡିଛି । ପି. ଶରଥଚନ୍ଦ୍ର ରେଡ୍ଡୀ କେବଳ ଜଣେ ମଦ ବେପାରୀ ନୁହଁନ୍ତି । ସେ ଅରବିନ୍ଦୋ ଫାର୍ମା ନାମକ ଏକ ବଡ ଔଷଧ କମ୍ପାନୀର ମାଲିକ ଅଟନ୍ତି । ତାଙ୍କର ଅନ୍ୟକିଛି କମ୍ପାନୀ ମଧ୍ୟ ଅଛିି । ଶ୍ରୀ ରେଡ୍ଡୀଙ୍କୁ ଇଡି ମଦ ଘୋଟାଲାର ମୁଖ୍ୟ ପୁରୋଧା କହି ଗିରଫ କଲା । ତାଙ୍କୁ ଜେରା କଲାବେଳେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଚିହ୍ନି ନାହାଁନ୍ତି ଓ କୌଣସି ଟଙ୍କା ଦେଇ ନାହାଁନ୍ତ ବୋଲି କହିଲେ । ତେଣୁ ଇଡି ତାଙ୍କ ବେଲ୍ ର ବିରୋଧ କଲା ଏବଂ ଲମ୍ବା ସମୟ ତାଙ୍କୁ ଜେଲ୍ ରେ ରଖିଲା । ମାତ୍ର ବର୍ତମାନ ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଜଣାପଡିଛି ଯେ ଶ୍ରୀ ରେଡ୍ଡୀଙ୍କୁ ଇଡି ମାଧ୍ୟମରେ ଭୟଭୀତ କରି ଭାରତୀୟ ଜନତା ପାର୍ଟି ତାଙ୍କର ବିଭିନ୍ନ କମ୍ପାନୀରୁ ପ୍ରାୟ ୫୯.୫ କୋଟି ଟଙ୍କା ଚାନ୍ଦା ନେଇଛି । ସେ ଜେଲ୍ ରେ ଥିବାବେଳେ କିଛି ଚାନ୍ଦା ଦେଇଛନ୍ତି । ପରବର୍ତୀ ସମୟରେ ଶ୍ରୀ କେଜ୍ରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ରାଜି ହେବାରୁ ଇଡି ତାଙ୍କ ବେଲ୍ କୁ ବିରୋଧ କରିନଥିଲା ଏବଂ ତାଙ୍କୁ ରାଜସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା । ଜେଲ୍ ରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ୫୦କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏଥିରୁ ଜଣାପଡୁଛି ଯେ ଚାପ ପକାଇ, ଡରେଇ, ଧମକାଇ ଇଡି ମାଧ୍ୟମରେ ବିଜେପି କେବଳ ଚାନ୍ଦା ଆଦାୟ କରିନାହିଁ ବରଂ ଶ୍ରୀ କେଜ୍ରିୱାଲଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ବକ୍ତବ୍ୟ ମଧ୍ୟ ଆଦାୟ କରିଛି । ତେଣୁ ଆମ୍ ଆଦମି ପାର୍ଟି ବିଜେପି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ବୋଲି ସଭାପତି ଶ୍ରୀ ଦାସ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ଉପସଭାପତି ଅପୂର୍ବ ରଞ୍ଜନ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ, ପାଟକୁରା ପ୍ରଭାରୀ କୁମୁଦ ରାଉତ, ରୁଦ୍ର ବେହେରା, ସେକ୍ ସାହିଲ, ସେକ୍ ଇସ୍ମାଇଲ, ସତ୍ୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।