ବିଜେଡିରେ ଯୋଗ ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର, ୨୦/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳରେ ଯୋଗଦାନ ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଘୋଷଣା କରିଛନ୍ତି। ସେ ନିଜର ବହୁ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମାନସ ମଙ୍ଗରାଜ ,ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓ ସ୍ନେହାଙ୍ଗିନୀ ଛୁରିଆ ଓ ଦଳୀୟ କର୍ମୀ  ଉପସ୍ଥିତ ଥିଲେ। ଖଡ଼ିଆଳ ଓ ଭୋଡେନ ବ୍ଲକ ଚେୟାରମ୍ୟାନ ବି ବିଜେଡିରେ ଯୋଗ ଦେଇଛନ୍ତି। ସିନାପାଲି ବ୍ଲକ ଚେୟାରମ୍ୟାନ ମଧ୍ୟ ବିଜେଡିରେ ମିଶିଛନ୍ତି। ଦଳରେ ସାମିଲ ହେବା ପରେ ଅଧିରାଜ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି। ଆଗାମି ଦିନରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ସୂଚାର ଭାବେ ତୁଲାଇବି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଛାଡ଼ିଥିଲେ। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ଖଡ଼ିଆଲ ସମେତ କଂଗ୍ରେସ ମାତ୍ର ୯ଟି ଆସନରେ ବିଜୟୀ ହୋଇଥିଲା। ଖଡ଼ିଆଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢ଼ି ଅଧିରାଜ ପାଣିଗ୍ରାହୀ ୫୯,୩୦୮ ଖଣ୍ଡ ଭୋଟ୍ ପାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳ ୫୬,୪୫୧ ଖଣ୍ଡ ଭୋଟ୍ ହାତେଇଥିଲେ। ଫଳରେ ଶ୍ରୀ ପାଣିଗ୍ରାହୀ ୨,୮୫୭ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।

Leave a Reply

Your email address will not be published. Required fields are marked *