କ୍ୟାବିନେଟ୍ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୧୬/୦୩/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶେ‌ଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।  ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବୈଠକରେ ଏକାଧିକ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍ ମୋହର ମାରିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ  ମନ୍ତ୍ରୀ ଟୁକୁନି ସାହୁ  ସୂଚନା ଦେଇଛନ୍ତି। କଟକ ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମିତ ହେବ। ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ଏହା ନିର୍ମିତ ହେବ। ଏହି ସେତୁ ବାବଦରେ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ୩ ବର୍ଷରେ ସେତୁ ନିର୍ମାଣ କାମ ସରିବ। ଏହି ସେତୁ ନିର୍ମାଣ ଦ୍ୱାରା କଟକ-ଚାନ୍ଦବାଲି ଓ କଟକ-ପାରାଦୀପ ରାସ୍ତାରେ ସହଜ ହେବ ଯାତାୟାତ । ସେହିପରି ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ । ଯାଦବ ଭବନ ନିର୍ମାଣ ଲାଗି ଅଧା ଏକର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର। ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି। ତାଳଚେର ଫର୍ଟିଲାଇଜର ଲିମିଟେଡକୁ ୮୫୬ ଏକର ଜାଗା ପଞ୍ଜିକରଣ ହେବ। ଷ୍ଟାମ୍ପ ଭେଣ୍ଡରଙ୍କ କମିସନ ବୃଦ୍ଧି। କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ। ଅଢେଇ ଏକର ଜମି ବିନା ପ୍ରିମିୟମରେ ପ୍ରଦାନ କରାଯିବି। ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ କ୍ୟାବିନେଟରେ ନଷ୍ପତ୍ତି ହୋଇଛି। ସେହିପରି ଶକ୍ତି ବିଭାଗର ୧୮୪୫.୭୬ କୋଟିର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୬ଟି ହାଇଭୋଲଟେଜ୍‌ ଗ୍ରୀଡ୍‌ ସ୍ଥାପନ ହେବ । ଖୁଂଟୁଣୀ ଗ୍ରୀଡର ଅପଗ୍ରେଡେସନ୍‌ କରାଯିବ। ଶିଳ୍ପାୟନକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରି ଦେଉଛନ୍ତି । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କ୍ୟାଡର ପୁନଃର୍ଗଠନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି। ଅମିନ ଓ ଏଆରଆଇଙ୍କ ପଦୋନ୍ନତିକୁ ଅନୁମତି ଦେବାସହ ବିଭାଗରେ ୨୫ ନୂଆ ପଦବୀ ସୃଷ୍ଟି କରିବା ପାଇଁ କ୍ୟାବିନେଟର ମୋହର ବାଜିଛି। ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ୬ଟି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଜଳସେଚିତ ଅଂଚଳରେ ପୁରୁଣା କରନାଳୀର ପୁନଃନିର୍ମାଣ କାମର ଅବଧି ୫ବର୍ଷ ବୃଦ୍ଧି କରାଯିବା ସହ ଏଥିପାଇଁ ୫୭୪.୭୪ କୋଟି ଟଙ୍କା ଖର୍ଚ୍ଚ ହେବ । ଲାଇସେନ୍ସ ପ୍ରାପ୍ତ ଷ୍ଟାମ୍ପ ଭେଣ୍ଡରଙ୍କ କମିଶନ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଆଦାୟ ଷ୍ଟାମ୍ପ ଉପରେ ୦.୮୫ ପ୍ରତିଶତ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *