ଭୁବନେଶ୍ୱର,୧୫/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିଶୁମାନଙ୍କୁ ସୃଜନଶୀଳ କାର୍ଯ୍ୟକ୍ରମରେ ନିଯୋଜିତ ରଖି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିପାରିଲେ ଆମେ ଏକ ସୁନ୍ଦର ଭବିଷ୍ୟତ ଗଢିପାରିବା । ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ଶିଶୁମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଛି ବୋଲି ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି ।
ଆଜି ଭୁବନେଶ୍ୱରଠାରେ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା-୨୦୨୩ର କୃତୀ ଶିଶୁମାନଙ୍କୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷା ମିନତୀ ବେହେରା କୃତୀ ଶିଶୁମାନଙ୍କୁ ପୁରସ୍କାର ବିତରଣ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥଲେ । ଦୃଢ ସଂକଳ୍ପ ହୋଇ କାମ କଲେ ସବୁ କ୍ଷେତ୍ରରେ ସଫଳତା ମିଳିବ ବୋଲି ସେ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ମହିଳା ଶିଶୁ ବିଭାଗର ଆଇସିଡିଏସ ଓ ସମାଜ କଲ୍ୟାଣର ନିର୍ଦ୍ଦେଶିକା ମୋନୀଷା ବାନର୍ଜୀ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସମ୍ପାଦିକା କସ୍ତୁରୀ ମହାପାତ୍ର ଓ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁମିତ୍ରା ଜେନା, ମହିଳା ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରେଗା ଗୀତ ରାଣୀ ପଟ୍ଟନାୟକ ଯୋଗଦେଇ କୃତୀ ଶିଶୁମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ଓଡ଼ିଶା ରାଜ୍ୟ କଲ୍ୟାଣ ପରିଷଦର ସଦସ୍ୟ ସଚିବ କ୍ୱାମାର ସୁଲତାନା ବେଗମ ସ୍ୱାଗତ ଭାଷଣ ଦେବା ସହ ଚିତ୍ରାଙ୍କନ କ୍ଷେତ୍ରରେ ପ୍ରତିଭାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ଏହି ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ଭୂବନେଶ୍ୱରରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତା -୨୦୨୩ ର ୨୦ ଜଣ କୃତୀ ପ୍ରତିଯୋଗୀ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ୪୫ ଜଣ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର, ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ୩୦ଟି ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହଯୋଗରେ ସମଗ୍ର ରାଜ୍ୟରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ସୂଚାରୁ ରୂପେ ସମ୍ପାଦନ ହୋଇଥିବାରୁ ଅଧ୍ୟକ୍ଷା ମିନତୀ ବେହେରା ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ କି ୨୦୨୩ ଡିସେମ୍ବର ମାସରେ ଓଡ଼ିଶା ଶିଶୁ କଲ୍ୟାଣ ପରିଷଦ ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା-୨୦୨୩ରେ ରାଜ୍ୟର ୩୦ ଜିଲ୍ଲାର ସଦର ମହାକୁମା ସହ ରାଜଧାନୀ ଭୂବନେଶ୍ୱରରେ ସାଧାରଣ ବର୍ଗରେ ୫ ରୁ ୧୬ ବର୍ଷ ବୟସର ଛାତ୍ରଛାତ୍ରୀ ଏବଂ ଭିନ୍ନକ୍ଷମ ବର୍ଗର ୫ ରୁ ୧୮ ବର୍ଷ ବଯସର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।