ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ ଗୁରୁତର ଆହତ

ସମ୍ବଲପୁର,୧୫/୦୩/୨୦୨୪ (ଓଡ଼ିଶା ସମାଚାର)- ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ଗତକାଲି ବିଳମ୍ବିତ ରାତିରେ ରେଢାଖୋଲ ବେଲଗଡ ଠାରେ ଘଟିଥିଲା ଦୁର୍ଘଟଣା। ଏକ ଟ୍ରକ୍ ସହ କାରର ମୁହାମୁହିଁ ଧକ୍କା ହେବା ଫଳରେ ପ୍ରସନ୍ନ ଆଚାର୍ୟ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।ତାଙ୍କୁ ପ୍ରଥମେ ରେଢାଖୋଲରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ମୁଣ୍ଡ, ଆଖି,ନାକରେ ଗୁରୁତର ଆଘାତ ଲାଗିଛି। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲକୁ ନିଆଯିବ। ସେ କଥା ବାର୍ତା କରୁଛନ୍ତି । ତାଙ୍କ ସହ ପିଏସଓ ଓ ଡ୍ରାଇଭର ଥିବାବେଳେ ସେମାନେ ସାମାନ୍ୟ ଆହତ ହୋଇଛନ୍ତି । ପିଏସଓ ଙ୍କର ଗୋଡ଼ ରେ ଅପରେସନ୍ କରାଯାଇଛି ।
ରେଢ଼ାଖୋଲ ନିକଟ ବେଲଗଡ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ତାଙ୍କ କାରର ମୁହାମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ଏକ ଆମ୍ବୁଲାନ୍ସ ଆସୁଥିଲା। ସେହି ଗାଡ଼ି ଚାଳକ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇଥିଲେ। ତାପରେ ବିଜେଡି କର୍ମୀମାନେ ତାଙ୍କୁ ସମ୍ବଲପୁରର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଆପୋଲୋ ହସ୍ପିଟାଲକୁ ନିଆଯିବା ପାଇଁ ଯୋଜନା ରହିଛି। ଦିନ ୧୨ଟା ବେଳକୁ ତାଙ୍କୁ ଭୁବନେଶ୍ବର ଅଣାଯିବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *