କଟକ ଜିଲା ନିମନ୍ତେ ନୂତନ ୱେବ୍ ସାଇଟ୍ ଉଦଘାଟିତ

କଟକ,୧୪/୦୩/୨୦୨୪(ଓଡ଼ିଶା ସମାଚାର)-କଟକ ଜିଲା ନିମନ୍ତେ ନୂତନ ୱେବ୍ ସାଇଟ୍ (https://cuttack.odisha.gov.in) ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ଆଜି ୩୦ଟି ଜିଲା ନିମନ୍ତେ ନୂତନ ୱେବ୍ ସାଇଟର ଉଦଘାଟନ କରି ଏହା ଇ-ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରିବ ବୋଲି କହିଛନ୍ତି । ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଂଟର ଓକାକ୍ ଦ୍ୱାରା ବିକଶିତ ଏହି ୱେବସାଇଟ୍ ରାଜ୍ୟ ସରକାରଙ୍କ ଫାଇଭ୍ ଟି ରୂପାନ୍ତରିକରଣ ପଦକ୍ଷେପର ଅଂଶବିଶେଷ । ଏହି ୱେବ୍ ସାଇଟ୍କୁ ଜନସାଧାରଣଙ୍କ ନିମନ୍ତେ ସହଜରେ ବ୍ୟବହାର ଉପଯୋଗୀ କରାଯାଇଛି । ଏହା ସରକାରଙ୍କ ସ୍ୱଚ୍ଛତା ଓ ଦକ୍ଷତାକୁ ଅଧିକ ସଶକ୍ତ କରିବା ଦିଗରେ କାର୍ଯ୍ୟ କରିବ । ଏହି ଅବସରରେ ଉଦବୋଧନ ଦେଇ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ୍ ଜିଲାପାଳମାନଙ୍କର ପ୍ରଶଂସା କରିଥିଲେ । ହାଇସ୍କୁଲ ରୂପାନ୍ତରୀକରଣଠାରୁ ଆରମ୍ଭ କରି, ମୋ କଲେଜ୍, ନୂଆ ଓ, ଆମ ହସ୍ପିଟାଲ, ଲକ୍ଷ୍ମୀ ବସ୍ ସେବା ଓ ଧାର୍ମିକ ପୀଠଗୁଡିକର ଉନ୍ନତିକରଣ ଆଦି କାର୍ଯ୍ୟ ଜିଲାଗୁଡିକରେ ଖୁବ ସଫଳତାର ସହ ଆଗେଇ ନେବାରେ ଜିଲାପାଳ ତଥା ଅଧିକାରୀମାନଙ୍କର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଶ୍ରୀ ପାଣ୍ଡିଆନ୍ କହିଥିଲେ । ଏଥିସହ ଦେଶର ସର୍ବ ପ୍ରଥମ ଅନ୍ ଲାଇନ୍ ଇନସେନଟିଭ ମ୍ୟାନେଜମେଂଟ ସିଷ୍ଟମ ପୋର୍ଟାଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏହା ହିତାଧିକାରୀମାନଙ୍କ ନିମନ୍ତେ ବେଶ୍ ସହାୟକ ହେବ । କଟକ ଜିଲାପାଳଙ୍କ ଓସୱାନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଭାସୀ ସମ୍ମିଳନୀରେ ଜିଲାପାଳ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ୍, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ନିର୍ଦ୍ଧେଶକ (ସୂଚନା ପ୍ରଯୁକ୍ତି) ତଥା ଜିଲା ସୂଚନା ବିଜ୍ଞାନ ଅଧିକାରୀ, ଏନଆଇସି ଇତିଶ୍ରୀ ନନ୍ଦ ଏବଂ ଏନଆଇସିର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *